‘ଷ୍ଟେମ୍’ କ୍ଷେତ୍ରରେ ମହିଳାଙ୍କ ପ୍ରତି ପାତରଅନ୍ତର: ଦରମା କମ୍, କାର୍ଯ୍ୟ ସମୟ ଅନୁପଯୁକ୍ତ

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ବୈଷୟିକ କ୍ଷେତ୍ର ଯଥା ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ (ଏସ୍‌ଟିଇଏମ୍‌ ବା ଷ୍ଟେମ୍)ରେ ଲିଙ୍ଗଗତ ଅସମାନତା ଦେଖିବାକୁ ମିଳୁଛି। ସମାନ କାମ କରୁଥିବା ମହିଳାଙ୍କୁ କମ୍ ଦରମା ମିଳୁଛି। ଏଥିସହ କାମ କରିବାର ଅନୁପଯୁକ୍ତ ସମୟ ମଧ୍ୟ ଏ କ୍ଷେତ୍ରରେ ସେମାନଙ୍କୁ ନିରୁତ୍ସାହିତ କରୁଛି। ଏନ୍‌ଟିଟି ଡାଟା ଓ ଏନ୍‌ଏଲ୍‌ବି ସର୍ଭିସ୍ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି। ୨୫୦ଟି ନିଯୁକ୍ତିଦାତା ସଂସ୍ଥାକୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା। ୫୭ ପ୍ରତିଶତ ମହିଳା ସେମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଦିଆଯାଉଥିବା ଅଭିଯୋଗ କରିଥିଲେ।

ପ୍ରାୟ ୩୦ ପ୍ରତିଶତ ନିଯୁକ୍ତିଦାତା ଷ୍ଟେମ୍ କ୍ଷେତ୍ରରେ ହାରାହାରିଠାରୁ ଅଧିକ ମହିଳା ଚାକିରି ଛାଡ଼ୁଥିବା ସୂଚନା ଦେଇଛନ୍ତି। ଅଧିକାଂଶ ଅଣୁ ଓ କ୍ଷୁଦ୍ର/ମଧ୍ୟମ ଉଦ୍ୟୋଗରେ ମହିଳାଙ୍କ ଚାକିରି ଛାଡ଼ିବା ହରାହାରିଠାରୁ କମ୍ ରହିଥିବା ବେଳେ ବୃହତ୍ ବହୁଦେଶୀୟ କମ୍ପାନି ଓ ଷ୍ଟାର୍ଟଅପ୍ ଗୁଡ଼ିକରେ ମହିଳାଙ୍କ ଚାକିରି ଛାଡ଼ିବା ହାର ଅଧିକ। ଏଣୁ ଏହିସବୁ କ୍ଷେତ୍ରରେ ମହିଳାମାନେ କିପରି ଅଧିକ ସଂଖ୍ୟାରେ ରହିବେ ଓ ଚାକିରି ଛାଡ଼ିବେ ନାହିଁ, ସେଥିପାଇଁ ଏକ ମହିଳା ସପକ୍ଷବାଦୀ ରଣନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି। ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୬୨ ପ୍ରତିଶତ ଭାରତୀୟ ସଂସ୍ଥା ଷ୍ଟେମ୍ କ୍ଷେତ୍ରରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହୀ। ଏଥି ସହ ୩୮ ପ୍ରତିଶତ ନିଯୁକ୍ତିଦାତା ଏ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ୨୦ ପ୍ରତିଶତ ବୃଦ୍ଧି କରିବାକୁ ଚାହାନ୍ତି। ପୁନଶ୍ଚ ୫୮ ପ୍ରତିଶତ ନିଯୁକ୍ତିଦାତା ଭାବନ୍ତି ଲୈଙ୍ଗିକ ବିବିଧତା ରାଜସ୍ବ ବୃଦ୍ଧିରେ ଓ ଅଧିକ ମେଧାବୀଙ୍କୁ ନିଯୁକ୍ତି ଦେବାରେ ସହାୟକ ହୋଇପାରିବ। ପ୍ରାୟ ୩୧ ପ୍ରତିଶତ ନିଯୁକ୍ତିଦାତା ଲୈଙ୍ଗିକ ବିବିଧତାର ସୁରକ୍ଷା ପାଇଁ ଚାକିରି ଛାଡ଼ିଥିବା ମହିଳାଙ୍କୁ ପୁଣି କର୍ମକ୍ଷେତ୍ରକୁ ଫେରାଇ ଆଣିବା ପାଇଁ ପଦ‌କ୍ଷେପ ନେବାକୁ ଯୋଜନା କରୁଥିବା ପ୍ରକାଶ କରିଛନ୍ତି।

ଏକ ଆକଳନ ଅନୁଯାୟୀ, ସାରା ବିଶ୍ବରେ ମହିଳା ଅନ୍‌ଲାଇନ୍ ଶିକ୍ଷାର୍ଥୀଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ଦ୍ବିତୀୟ। ଏହା ଆହୁରି ସୂଚାଉଛି ଯେ, ଭାରତରେ ଅନ୍‌ଲାଇନ୍ ଷ୍ଟେମ୍ ପାଠ୍ୟକ୍ରମରେ ମହିଳାଙ୍କ ନାମଲେଖା ୨୦୨୧ ମସିହାରେ ୩୨ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ୨୦୧୯ରେ ୨୨ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର