ସୁରଟ: ମଙ୍ଗଳବାର ଭୋର୍ ବେଳେ ଗୁଜରାଟର ସୁରଟ ଠାରୁ ୬୦ କିମି ଦୂର କୋସାମ୍ବା ଗାଁ ନିକଟରେ ରାସ୍ତାକଡ଼ରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଏକ ଡମ୍ପର ଚଢ଼ିଯିବାରୁ ଅତି କମ୍ରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବର୍ଷକର ଶିଶୁକନ୍ୟା ସମେତ ୧୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତର ଆହତଙ୍କ ମଧ୍ୟରୁ ଆଉ ତିନି ଜଣ ଆଖି ବୁଜିଛନ୍ତି।
ସୁରଟକୁ କାମ ଅନ୍ବେଷଣରେ ରାଜସ୍ଥାନରୁ ଆସିଥିବା ଏହି ଦାଦନ ଶ୍ରମିକମାନେ ସବୁଦିନ ପରି ସୋମବାର ରାତିରେ ମଧ୍ୟ ରାସ୍ତାକଡ଼ରେ ଶୋଇଥିଲେ। ରାତି ନପାହୁଣୁ ସେମାନଙ୍କ ପାଖ ଦେଇ ଏକ ଡମ୍ପର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଡାଲାରେ ବାଜି ତାହା ଭାରସାମ୍ୟ ହରାଇଥିଲା।ଫଳରେ ଗାଡ଼ିଟି ରାସ୍ତାକଡ଼କୁ ମାଡ଼ିଯାଇ ଗଭୀର ନିଦରେ ଶୋଇଥିବା ଏହି ଶ୍ରମିକମାନଙ୍କ ଉପରେ ଚଢ଼ିଯାଇଥିଲା। କେହି କିଛି ବୁଝିବା ଆଗରୁ ଡମ୍ପର ଚକା ତଳେ ଏହି ନିଦ୍ରାରତ ଶ୍ରମିକମାନେ ଦଳି ହୋଇଯାଇଥିଲେ। ଦୁର୍ଘଟଣାରେ ଡମ୍ପର ଚାଳକ ଓ ଖଲାସୀ ମଧ୍ୟ ଆହତ ହୋଇଛନ୍ତି। ସୁରଟ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତଙ୍କୁ ସୁରାଟର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଜଣେ ୬ ମାସର ଶିଶୁ ବଞ୍ଚି ଯାଇଛି। ବାପାମାଆଙ୍କ ସହିତ ଫୁଟ୍ପାଥରେ ଶିଶୁଟି ଶୋଇଥିଲା। ଟ୍ରକ ଚଢ଼ି ବାପାମାଆଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଶିଶୁଟି ବଞ୍ଚିଯାଇଛି। ଶିଶୁଟିର ନାଆଁ ପ୍ରିୟଙ୍କା। ତା’ ବାପା କାମ ଅନ୍ବେଷଣରେ ଦିନକ ପୂର୍ବରୁ ସୁରଟ ଆସିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଧ୍ୟ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/s5g456s465sf4h56fsh.jpg)