ଉତ୍ତରପ୍ରଦେଶ: ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା ବସ୍‌, ୭ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସର୍‌ରେ ଫୁଟ୍‌ପାଥରେ ଶୋଇଥିବା ୭ ଜଣ ତୀର୍ଥଯାତ୍ରୀଙ୍କ ଉପରେ ଆଜି ‌ଭୋର୍‌ ସମୟରେ ଏକ ବସ୍‌ ମାଡ଼ିଯିବା ଫଳ‌ରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଗଙ୍ଗା ନଦୀ ନିକଟସ୍ଥ ଗାନ୍ଧୀ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୩ ଜଣ ନାବାଳିକା ଅଛନ୍ତି। ଜମ୍ମୁ କଶ୍ମୀରରେ ମାତା ବୈ‌ଷ୍ଣୋ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ସେମାନେ ହଥରାସ ଅଂଚଳକୁ ଫେରୁଥିଲେ। ସୂଚନାଯୋଗ୍ୟ ଆଜି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ତୀର୍ଥଯାତ୍ରୀ ଗତ ୩ ତାରିଖରୁ ସେମାନଙ୍କ ଗ୍ରାମ ମୋହନପୁରରୁ ବୈଷ୍ଣୋ‌‌ଦେବୀକୁ ଯାତ୍ରା ଆରମ୍ଭ କରିଥିଲେ। ଏହି ୭ ତୀର୍ଥଯାତ୍ରୀଙ୍କ ସମେତ ସମୁଦାୟ ୫୬ ଜଣ ଏକ ବସ୍‌ ଯୋଗେ ଯାତ୍ରା କରୁଥିଲେ। ଭୋର ୨.୫୦ ସମୟରେ ବସ୍‌ ଡ୍ରାଇଭର ବିଶ୍ରାମ ନେବାପାଇଁ ଆଗ୍ରା-ମୋରାଦାବାଦ୍‌ ଜାତୀୟ ରାଜପଥ ନିକଟସ୍ଥ ଗାନ୍ଧି ଘାଟ ନିକଟରେ ବସ୍‌ ରଖିଥିଲେ। ତୀର୍ଥଯାତ୍ରୀମାନେ ଫୁଟ୍‌ପାଥ୍‌ରେ ବିଶ୍ରାମ ନେବାପାଇଁ ବସ୍‌ରୁ ଓହ୍ଲାଇ ଯାଇଥିଲେ। ଭୋର ୪ଟା ସମୟରେ ସେମାନଙ୍କ ଉପରେ ଏକ ବସ୍‌ ମାଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର