ବାରାବଙ୍କି: ଯାତ୍ରୀ ଭର୍ତ୍ତି ଏକ ରୋଡୱେଜ୍ ବସ୍ ଉପରେ ପଡ଼ିଲା ବଡ଼ ଗଛ। ଉତ୍ତରପ୍ରଦେଶର ବାରାବଙ୍କିରେ ପ୍ରବଳ ବର୍ଷା ମଧ୍ୟରେ ଏହି ବଡ଼ ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଗଛ ପଡ଼ିବା ପରେ ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା। ପୁଲିସ-ପ୍ରଶାସନ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରାସ୍ତା ସଫା କରିଥିଲେ।

Advertisment

ଏହି ସମୟରେ ଲୋକମାନେ ବସ୍‌ରେ ଫସି ରହିଥିବା ଜଣେ ମହିଳା ଯାତ୍ରୀଙ୍କର ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ। ଏହା ଦେଖି ସେ କହିଥିଲେ- 'ଏଠାରେ ଜୀବନ ଏବଂ ମୃତ୍ୟୁର ସହ ଆମେ ଲଢ଼ୁଛୁ, ଆଉ ତୁମେ ମାନେ ଭିଡିଓ ରେକର୍ଡ କରୁଛ। ଯଦି ତୁମେ ଆସି ଗଛର ଡାଳ ହଟାଇବାରେ ସାହାଯ୍ୟ କରିଥାନ୍ତ, ତେବେ ଆମେ ବାହାରକୁ ଆସିପାରିଥାନ୍ତୁ।' 

ସୂଚନା ଅନୁଯାୟୀ, ବାରାବଙ୍କି-ହାଇଦରଗଡ଼ ରାସ୍ତାରେ ଥିବା ହରଖ ରାଜା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀ ଭର୍ତ୍ତି ଏକ ବସ୍ ହାଇଦରଗଡ଼ ଯାଉଥିବା ବେଳେ ଏକ ଗଛ ତା' ଉପରେ ପଡ଼ିଯାଇଥିଲା। ଏହା ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ବସ୍‌ର ଝରକାରୁ ଡେଇଁବା ଆରମ୍ଭ କରିଥିଲେ। ପୁଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ, ଯେଉଁଠାରେ ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ଚାଳକ ଓ ୪ଜଣ ମହିଳା ଥିବା ସାମ୍ନାକୁ ଆସିଛି।