ବ୍ଲାକସ୍ପଟ୍‌ ଦୂର କରିବାକୁ ରାଜ୍ୟମାନଙ୍କୁ ପତ୍ର ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ସଡ଼କ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଧିକ ମାତ୍ରାରେ ଜରିମାନା ଆଦାୟ କରାଯିବା ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟାସ ଜାରି ରହିଥିବା ବେଳେ ଦେଶର ରାସ୍ତା ମାନଙ୍କରେ ସଡ଼କ ଦୁର୍ଘଟଣା କିଭଳି ରୋକାଯାଇପାରିବ ସେନେଇ ବ୍ଲାକ୍‌ସ୍ପଟ୍‌ ଗୁଡ଼ିକ ଦୁର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପତ୍ର ଲେଖିଛନ୍ତି। କେବଳ ରାଜ୍ୟ ସରକାର ନୁହନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ବାରା ଏନଏଚ୍‌ଏଆଇ, ଏନଏଚଆଇଡିଏଲ ଓ ବିଆରଓଙ୍କୁ ମଧ୍ୟ ପତ୍ର ଲେଖାଯାଇଛି। ଏଥିପାଇଁ ଦୀର୍ଘ ମିଆଦ ଓ ସ୍ବଳ୍ପ ମିଆଦ ଯୋଜନା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବ୍ଲାକସ୍ପଟ୍‌ ମ୍ୟାନେଜମେଣ୍ଟ ସଡ଼କ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହାକୁ ଗୁରୁତ୍ବ ଦେବା ସହିତ ବିଚାର କରି ପଦକ୍ଷେପ ନେବାପାଇଁ କୁହାଯାଇଛି। ରୋଡ ସେଫ୍ଟି ଇଞ୍ଜିନିୟରିଂ ଦକ୍ଷତାକୁ ଠିକ୍ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ନିୟମିତ ରୂପେ ବ୍ଲାକସ୍ପଟ୍‌ ଗୁଡ଼ିକୁ ଚିହ୍ନଟ କରାଯିବା ସହିତ ଜେବ୍ରାକ୍ରସିଂ, ରେଲିଂ, ସୋଲାର ଲାଇଟ୍, ରୋଡ଼ ଇଞ୍ଜିନିୟରିଂ ତଥା ଯାତାୟତର ଚାପକୁ ସୁଧାର କରିବାକୁ କୁହାଯାଇଛି। ତିନି ମାସର ସ୍ବଳ୍ପକାଳୀନ ଯୋଜନା ପ୍ରସ୍ତୁତ କରାଯାଇ ସଡ଼କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେବାପାଇଁ କୁହାଯାଇଛି। ମନ୍ତ୍ରଣଳାୟ ପକ୍ଷରୁ ରାଜ୍ୟମାନଙ୍କୁ ବ୍ଲାକସ୍ପଟ୍‌ ଦୂର କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପାଣ୍ଠିରୁ ଅର୍ଥ ବିନିଯୋଗ କରିପାରିବେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର