ଛତିଶଗଡ଼ ଭସାଣି ଶୋଭାଯାତ୍ରାରେ ଅଘଟଣ: ଶ୍ରଦ୍ଧାଳୁଙ୍କ ଉପରକୁ କାର୍‌ ମାଡ଼ିଗଲା, ଜଣେ ମୃତ, ୧୭ ଆହତ

ବିଜେପିର ପ୍ରଶ୍ନ: ପୁଲିସ ବାରିକେଡ୍ ବ୍ୟବସ୍ଥା କାହିଁକି କରାଯାଇ ନ ଥିଲା

ରାୟପୁର: ଛତିଶଗଡ଼ରେ ଗତକାଲି ଏକ ଅଭାବନୀୟ ଘଟଣାକ୍ରମରେ ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଏକ ଦ୍ରୁତଗାମୀ କାର୍‌ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି। ପୁଲିସ ଅନୁଯାୟୀ, ଗତକାଲି ଛତିଶଗଡ଼ର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏହି ଅଘଟଣ ଘଟିଛି। ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍‌ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଛି। ଅନ୍ୟ ୧୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଘଟଣା ପରେ ୨ ପୁଲିସ ନିଲମ୍ବିତ ହୋଇଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉକ୍ତ ଘଟଣାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ନାମ ଗୌରବ ଅଗ୍ରୱାଲ୍‌ (୧୮)। ଛତିଶଗଡ଼ରେ ମୁଖ୍ୟ ବିରୋଧୀ ଦଳ ବିଜେପି ଉକ୍ତ ଘଟଣାରେ ଆଜି ଯଶପୁର ବନ୍ଦ ଡାକରା ଦେଇଥିଲା ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫୦ ଲକ୍ଷ କ୍ଷତିପୂରଣ ଦାବି କରିଥିଲା। ଉକ୍ତ ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କ ଉତ୍ତରପ୍ରଦେଶ ପ୍ରତିପକ୍ଷ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବର୍ଷିଛନ୍ତି। ଯଶପୁର ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ ଲଖିମପୁର ଖେରି ଘଟଣାରେ ହୋଇପାରିନଥିବା ସେ କହିଛନ୍ତି।

ବିଜେପିର ପ୍ରଶ୍ନ: ପୁଲିସ ବାରିକେଡ୍ ବ୍ୟବସ୍ଥା କାହିଁକି କରାଯାଇ ନ ଥିଲା

ରାୟପୁର: ଶୁକ୍ରବାର ଛତିଶଗଡ଼ରେ ଦେବୀ ଭସାଣି ଶୋଭାଯାତ୍ରା ଉପରେ ଦ୍ରୁତଗାମୀ ଏସ୍‌ୟୁଭି ମାଡ଼ିଯିବା ଯୋଗୁ ଜଣେ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୭ ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ବିଜେପି ଓ ରାଜ୍ୟର ଶାସକ କଂଗ୍ରେସ ମଧ୍ୟରେ ରାଜନୈତିକ ଆକ୍ରମଣ-ପ୍ରତିଆକ୍ରମଣ ‌ଦେଖିବାକୁ ମିଳିଛି। ବିଜେପି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛି, ଯଶପୁର ଜିଲ୍ଲା ପତାଲଗାଓଁଠାରେ ଘଟଣାସ୍ଥଳରେ ପୁଲିସ ବାରିକେଡ଼୍ ବ୍ୟବସ୍ଥା କାହିଁକି କରାଯାଇ ନ ଥି‌ଲା?
ଶୁକ୍ରବାର ବଜରପାରା ଅଞ୍ଚଳର ଲୋକମାନେ ଦୁର୍ଗାମୂର୍ତ୍ତି ବିସର୍ଜନ କରିବାକୁ ଶୋଭାଯାତ୍ରାରେ ନେବା ବେଳେ ଏହି ଅଘଟଣ ଘଟିଥିଲା। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଟ୍ବିଟ୍ କରିଛନ୍ତି ଯେ, ଯଶପୁରରେ ଯେଉଁ ଦୁଖଦାୟକ ଘଟଣା ଘଟିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାହାର ଉତ୍ତର ଦେବା ଦରକାର। ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସେଠାରେ କାହିଁକି ପୁଲିସ ବାରିକେଡ୍ ବ୍ୟବସ୍ଥା କରାଯାଇ ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦ୍ରୁତଗାମୀ କାର୍ ସେ ବାଟେ କେମିତି ଯିବାକୁ ଅନୁମତି ଦିଆଗଲା, ଯେଉଁ ରାସ୍ତା ଦେଇ ହିନ୍ଦୁ ଧାର୍ମିକ ଶୋଭାଯାତ୍ରା ଯାଉଛି। ଏହି ରାଜ୍ୟରେ ହିନ୍ଦୁମାନଙ୍କ ଉପରେ ଜାଣିଶୁଣି ଆକ୍ରମଣ କରାଯାଉଛି ବୋଲି ମାଲବୀୟ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ଦୁଇଜଣଙ୍କୁ ସହର ଉପକଣ୍ଠରୁ ପୁଲିସ ଗିରଫ କରିଛି। ସେମାନେ ହେଉଛନ୍ତି ପଡ଼ୋଶୀ ମଧ୍ୟପ୍ରଦେଶର ସିଂଗ୍ରାଉଲି ବାସିନ୍ଦା ବବ୍‌ଲୁ ବିଶ୍ବକର୍ମା (୨୧) ଓ ଶିଶୁପାଳ ସାହୁ (୨୬)। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇବା ବେଳେ ସେମାନେ ଦ୍ରୁତ ଗତିରେ କାର୍ ଚାଳନା କରି ଖସି ପଳାଇଯିବାକୁ ବସିଥିଲେ।

ସମ୍ବନ୍ଧିତ ଖବର