ଯେଉଁ ରାଜପଥରେ ସାଇରସଙ୍କର ଚାଲିଯାଇଥିଲା ଜୀବନ, ଚଳିତବର୍ଷ ୬୨ ଲୋକଙ୍କ ଚାଲିଗଲାଣି ଜୀବନ

ମୁମ୍ବାଇ: ଚଳିତ ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ସରକାରୀ ଆକଳନରୁ ଜଣାପଡିଛି ଯେ ଏହି ରାଜପଥରେ ଏହି ସଡ଼କ ଦୁର୍ଘଟଣା ଏକ ସାଧାରଣ କଥା। ମିଳିଥିବା ସୂଚନା ମୁତାବକ ଥାନେର ଘୋଡବନ୍ଦର ଏବଂ ପାଲଘର ଜିଲ୍ଲାର ଦପଚରୀ ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥର ୧୦୦ କିଲୋମିଟର ଦୂରତାରେ ଚଳିତ ବର୍ଷ ୨୬୨ଟି ଦୁର୍ଘଟଣା ଘଟିଛି ଯେଉଁଥିରେ ୬୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯୨ ଜଣ ଲୋକ ଆହତ ହୋଇଛନ୍ତି। ତେବେ ଏହି ରାଜପଥରେ ଏତେ ଦୁର୍ଘଟଣା କାହିଁକି ହେଉଛି | ଏଥିପାଇଁ ଦାୟୀ କିଏ ? ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ରାସ୍ତାର ଖରାପ ହେବା ସହ ସଠିକ୍ ସଙ୍କେତ ଅଭାବ ଏବଂ ବେଗକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନଥିବାରୁ ଅନେକ ଥର ଦୁର୍ଘଟଣା ଘଟୁଛି |

ମହାରାଷ୍ଟ୍ର ରାଜମାର୍ଗର ପୁଲିସ ଅଧିକାରୀ କହିଛନ୍ତି ଯେଭଳି ଭାବେ ସେପ୍ଟେମ୍ବର ୪ରେ ମିସ୍ତ୍ରୀଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା ଠିକ ସେହିଭଳି ଚଳିତବର୍ଷ ୨୫ଟି ଗୁରୁତର ଦୁର୍ଘଟଣାରେ ୨୬ଜଣଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଚିଞ୍ଚୋଟି ନିକଟବର୍ତ୍ତୀ ଅଞ୍ଚଳରେ ସମାନ ସମୟ ମଧ୍ୟରେ ୩୫ଟି ଗୁରୁତର ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମନୋର ନିକଟରେ ୧୦ଟି ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି ଏହି ରାସ୍ତାର ୫୦୦ ମିଟର ଅତ୍ୟନ୍ତ ବିପଜ୍ଜନକ ପାଲଟିଛି । କାରଣ ମୁମ୍ବାଇକୁ ଯିବା ସମୟରେ ସୂର୍ଯ୍ୟ ନଦୀର ଠିକ ପୂର୍ବରୁ ରାସ୍ତା ହଠାତ ବଙ୍କା ହୋଇଯାଇଥିବାବେଳେ ତିନି ଲେନରୁ ଦୁଇ ଲେନକୁ ବଦଳିଯାଇଥାଏ |

କିନ୍ତୁ ଡ୍ରାଇଭରମାନଙ୍କୁ ଏ ବିଷୟରେ ଆଗୁଆ ସୂଚନା ଦେବା ପାଇଁ ରାସ୍ତାରେ କୌଣସି ସଂକେତ ନାହିଁ ବୋଲି ଅଧିକାରୀ କହିଛନ୍ତି। ସୂଚନା ଥାଉ କି ପାଲଘରରେ ସୂର୍ଯ୍ୟ ନଦୀ ପୋଲ ଉପରେ ଏକ ଡିଭାଇଡରରେ ମିସ୍ତ୍ରୀଙ୍କ କାର ପିଟି ହୋଇଯିବାରୁ ମିସ୍ତ୍ରୀଙ୍କ ସହ ତାଙ୍କ ବନ୍ଧୁ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ଘଟିଥିଲା | ଏହା ସହ କାର ଚଳାଉଥିବା ଅନାହିତା ପାଣ୍ଡୋଲ ଏବଂ ତାଙ୍କ ସ୍ୱାମୀ ଡାରିୟସ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର