ରାମ ନବମୀ ପାଳନ ‌ବେଳେ ଆନ୍ଧ୍ରପ୍ରଦେଶ ମନ୍ଦିରରେ ଲାଗିଲା ନିଆଁ, ଇନ୍ଦୋରରେ ଭୁଶୁଡିଲା ମନ୍ଦିର କୂଅର ଛାତ

ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ଏହି ପବିତ୍ର ଦିନରେ ଅନେକ ରାମ ମନ୍ଦିରରେ ଅଘଟଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡି ପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ରାମ ନବମୀ ପାଇଁ ଟେଣ୍ଟ କରାଯାଇଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା। ପୂଜା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ଦେଖି ଶ୍ରଦ୍ଧାଳୁ ମନ୍ଦିର ବାହାରକୁ ଚାଲି ଆସିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଇନ୍ଦୋରରେ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୫ଜଣ ତଳକୁ ଖସିପଡ଼ିଥିବ‌ା ଜଣାପଡ଼ିଛି। କୁହାଯାଉଛି ଯେ, ଏହି ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁ ଆସିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହିନପାରି ଭୁଶୁଡିପଡ଼ିଥିଲା। ଏହା ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ। ଏପର୍ଯ୍ୟନ୍ତ ୧୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର