ନୂ୍ଆଦିଲ୍ଲୀ : ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୧୭୬ ଯାତ୍ରୀ ଗୁରୁତର ଆହତ, ୪୫୧ ଜଣ ସାମାନ୍ୟ ଆହତ ଏବଂ ୧୮୦ ଜଣ ଯାତ୍ରୀ ଫାଷ୍ଟ-ଏଡ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି। ରାଜ୍ୟସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

Advertisment

ମନ୍ତ୍ରୀ କହିଛନ୍ତି, ରେଳ ଦୁର୍ଘଟଣାରେ ୨୫୪ ଜଣ ମୃତ ଯାତ୍ରୀଙ୍କର ଶବକୁ ଚିହ୍ନଟ କରାଯାଇ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ୪୧ ଜଣଙ୍କର ପରିଚୟ ମିଳିପାରି ନାହିଁ। ଏମାନଙ୍କ ଶବକୁ ଏମ୍ସ ଭୁବନେଶ୍ବରରରେ ରଖାଯାଇଛି। ଡିଏନ୍‌ଏ ନମୁନା ନୂଆଦିଲ୍ଲୀ ସିଏଫ୍‌ଏସ୍‌ଏଲ୍‌କୁ ପରୀକ୍ଷା
ପାଇଁ ନିଆଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି।

publive-image

ମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୧୬ ସୁଦ୍ଧା ୨୯.୪୯ କୋଟି ଟଙ୍କା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି। ପ୍ରତ୍ୟେକ ମୃତକଙ୍କ ବାବଦରେ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି।

ରାଜ୍ୟସଭାରେ ଆଜି ବାଲେଶ୍ବର ଟ୍ରେନ ଦୁର୍ଘଟଣାକୁ ନେଇ ସାଂସଦ ପ୍ରଶାନ୍ତ ନନ୍ଦ, ଏ.ଡି.ସିଂହ, ଜୱାହର ସିରକାର, ମୁକୁଲ ୱାସନିକ, ଏମ.ଷଣମୁଗମ, ବନ୍ଦନା ଚୌହାନ, ଡ.ଜନ ବ୍ରିଟାସ, ସଂଜୟ ସିଂହ ଏବଂ ସାନ୍ଦୋଶ କୁମାର ପି ଙ୍କ ଭିନ୍ନ ଭିନ୍ନ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି କେନ୍ଦ୍ର ରେଳମନ୍ତ୍ରୀ ତଥ୍ୟ ରଖିଛନ୍ତି।। ରେଳ ଦୁର୍ଘଟଣାର କାରଣ ସଂପର୍କରେ ଉଲ୍ଲେଖ କରି ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ରେଳ ନିରାପତ୍ତା କମିସନଙ୍କ ପକ୍ଷରୁ ଦୁର୍ଘଟଣାର ବୈଧାନିକ ତଦନ୍ତକୁ ଚୂଡ଼ାନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସିଗନାଲ୍‌ ତ୍ରୁଟିରୁ ହୋଇଥିଲା। କେବଳ ସେତିକି ନୁହେଁ, ସିଗନାଲିଂ ଓ ଦୂରସଂଚାର ବିଭାଗର ଅନେକ ତ୍ରୁଟି ସଂପର୍କରେ ମନ୍ତ୍ରୀ ସୂଚନା ଦେଇ ଲେଭଲ କ୍ରସିଂ ଫାଟକ -୯୪ରେ ଇଲେକ୍‌ଟ୍ରିକ ଲିଫ୍ଟିଂ ବ୍ୟାରିଅରକୁ ବଦଳାଇବା କାର୍ଯ୍ୟ ପାଇଁ ଷ୍ଟେସନ ସ୍ପେସିଫିକ ଆପ୍ରୁଭଡ ସର୍କିଟର ଯୋଗାଣ ନ କରାଯିବା ମଧ୍ୟ ଏକ ଭୁଲ୍‌ ଥିଲା ବୋଲି ଦର୍ଶାଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ତ୍ରୁଟିପୂର୍ଣ୍ଣ ସିଗନାଲିଂ ଯୋଗୁ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ଟ୍ରେନ ସହ ୧୨୮୪୧ ଟ୍ରେନ ଧକ୍କା ଖାଇଥିଲା। ୭ ଜଣ ରେଳ ଅଧକାରୀଙ୍କୁ ନିଲମ୍ବନ କରାଯାଇଛି।

ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିସହିତ ସିବିଆଇ ମଧ୍ୟ ରେଳ ଦୁର୍ଘଟଣାର ତଦନ୍ତ କରୁଛି।

publive-image

ମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ ଚଳାଚଳ ପରିଚାଳନା ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମୋଟ ୨୫ ବିନ୍ଦୁର ନିୟମାବଳୀ ଜାରି କରାଯାଇଛି। ଏଥିରେ କେନ୍ଦ୍ରୀୟ ଅପରେସନ ପଏଣ୍ଟ ସହ ସିଗନାଲିଂର ସୁରକ୍ଷା, ୬୪୨୭ ଷ୍ଟେସନରେ ଇଲେକ୍‌ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମର ପ୍ରୟୋଗ, ଷ୍ଟାଫ୍‌ମାନଙ୍କର ନିୟମିତ ପ୍ରଶିକ୍ଷଣ ସହିତ କାଉନିସେଲିଂ, ନିୟମିତ ରୂପେ ରେଳ ପୋଲଗୁଡ଼ିକର ଅନୁଧ୍ୟାନ କରି ସେଗୁଡିକର ସୁରକ୍ଷାକୁ ସୁନିଶ୍ଚିତ କରିବା, ରେଳ ଟ୍ରାକଗୁଡ଼ିକର ପାଟ୍ରୋଲିଂ, କୁହୁଡ଼ି ପ୍ରଭାବିତ ଏରିଆ ପାଇଁ ଲୋକୋ ପାଇଲଟଙ୍କୁ ଫଗ୍‌ ସେଫ୍ଟି ଡିଭାଇସ୍‌ ‌ଯୋଗାଇଦେବା ଭଳି ସୁପାରିସ କରାଯାଇଛି।
ରେଳମନ୍ତ୍ରୀ ଉତ୍ତରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରେଲୱେ ସିଗନାଲ ସିଷ୍ଟମକୁ ଅପଗ୍ରେଡ କରିବା ପାଇଁ ଇଲେକଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମ ଓ କବଚ ଭଳି ଆଧୁନିକ ପ୍ରଯୁକ୍ତିର ଉପଯୋଗ କରାଯାଉଛି। ଗତ ବର୍ଷ ୪୮ଟି ଟ୍ରେନ ଦୁର୍ଘଟଣା ହୋଇଥିଲା। କିନ୍ତୁ ଗୋଟିଏ ହେଲେ କବଚ ବ୍ୟବସ୍ଥା ଥିବା ଟ୍ରେନର ଦୁର୍ଘଟଣା ହୋଇନଥିଲା। କବଚ ସଂପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ଏଥିପାଇଁ ୨୦୨୩-୨୪ରେ ବଜେଟରେ ୭୧୦.୧୨ କୋଟି ଟଙ୍କା ରହିଥିଲା। କବଚ ସିଷ୍ଟମ ଲାଗିବା ପର ଠାରୁ ଆଜି ପର୍ଯ୍ୟନ୍ତ ୩୫୧.୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ରେଳମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସୁରକ୍ଷାକୁ ଭାରତୀୟ ରେଳ ପ୍ରାଥମିକତା ଦେଉଛି। ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ (ଆର୍‌ଆର୍‌ଏସ୍‌କେ) ୨୦୧୭-୧୮ରେ ଆରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା ସୁରକ୍ଷା ସଂପର୍କିତ କାର୍ଯ୍ୟ‌ ବାବଦରେ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ଅନ୍ତର୍ଗତ ଟ୍ରାକ୍‌ର ନବୀକରଣ, ପୋଲଗୁଡ଼ିକର ମରାମତି, ସିଗ୍‌ନାଲିଂ ଭଳି କାର୍ଯ୍ୟ ହାତକୁ ନିଆଯାଇଥିଲା। ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଆର୍‌ଆର୍‌ଏସ୍‌କେ ବାବଦରେ ୧.୦୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୦୧-୦୨ରେ ରେଲୱେ ସୁରକ୍ଷା ପାଣ୍ଠିର ସ୍ଥାପନ କରାଯାଇଥିଲା। ଏହା ଅର୍ନ୍ତଗତ ଲେଭଲ କ୍ରସିଂ, ରୋଡ ଓଭର ବ୍ରିଜ ଓ ରୋଡ ଅଣ୍ଡର ବ୍ରିଜ୍ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା ରହିଥିଲା। ଏହାର ପରିସରକୁ କ୍ରମାଗତଭାବେ ବୃଦ୍ଧି କରାଯାଇଥିଲା। ଗତ ୫ ବର୍ଷରେ ଆର୍‌ଆର୍‌ଏସ୍‌କେ ଓ ଆର୍‌ଏସ୍‌ଏଫ୍‌ର ପାଣ୍ଠିକୁ ସୁରକ୍ଷା ଜନିତ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇଥିଲା ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।