ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।

Advertisment

ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ‘ଏନ୍‌ଡିଏ’ର ପ୍ରାର୍ଥୀ ଧନଖଡ଼ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ।

ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଜି ସକାଳେ ଧନଖଡ଼ ସଂସଦର ଲାଇବ୍ରେରିରେ ପହଞ୍ଚିଥିଲେ।  ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସେୟାର୍‌ କରିଥିବା ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ଦଳୀୟ କାର୍ଯ୍ୟକର୍ତ୍ତାମାନେ ଧନଖଡ଼ଙ୍କୁ ସଂସଦ ଭବନ ମଧ୍ୟକୁ ‌ପାଛୋଟି ନେଉଛନ୍ତି।

publive-image Image Courtesy of The Economic Times

ଏହାପୂର୍ବରୁ ଧନଖଡ଼ ବିଭିନ୍ନ ଦଳର ସାଂସଦମାନଙ୍କୁ ଭେଟି ସେମାନଙ୍କର ଭୋଟ୍‌ ଲୋଡ଼ିଥିଲେ। ଏଥିପାଇଁ ଆୟୋଜିତ ବ‌ୈଠକରେ ଧନଖଡ଼ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ‘ବିଜେପି’ର ବରିଷ୍ଠ ନେତା ଏବଂ ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ।

ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଧନଖଡ଼ କହିଛନ୍ତି, ମୋ ପରି ଜଣେ ସାଧାରଣ ବ୍ୟକ୍ତିକୁ ଏଭଳି ସୁଯୋଗ ମିଳିବ ବୋଲି କଳ୍ପନା ମଧ୍ୟ କରି ନ ଥିଲି। ଜଣେ କୃଷକର ପୁଅ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛି। ଏ ସୁଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ନେତାମାନଙ୍କ ପ୍ରତି ମୁଁ କୃତଜ୍ଞ।