ନୂଆଦିଲ୍ଲୀ: ଅକ୍ଟୋବର ୭ରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ରିପୋର୍ଟ/କଭର କରିବାରେ ସାମିଲ ହୋଇଥିବା ଫଟୋ ସାମ୍ବାଦିକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସ୍ରାଏଲ ଗୁରୁବାର ଦାବି କରିଛି।
ଇସ୍ରାଏଲର ଜଣେ କୂଟନୀତିଜ୍ଞ ଇସ୍ରାଏଲର ଏକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ସଂସ୍ଥା ଅନେଷ୍ଟ ରିପୋର୍ଟିଂର ଏକ ରିପୋର୍ଟ ସେୟାର କରିବା ପରେ ଦାବି କରାଯାଇଛି ଯେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ସୀମାନ୍ତ ଅଞ୍ଚଳ ଉପରେ ଆକ୍ରମଣ ସମୟର ଚିତ୍ର ଗାଜାରେ ରହୁଥିବା ଫଟୋ ସାମ୍ବାଦିକମାନେ କ୍ୟାମେରା ଲେନ୍ସରେ କଏଦ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନର ଯୋଜନା ବିଷୟରେ ଏହି ସାମ୍ବାଦିକମାନେ ପୂର୍ବରୁ ଜାଣିଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି।
ଇସ୍ରାଏଲ ସରକାର ଗୁରୁବାର କହିଛନ୍ତି ଯେ ନ୍ୟାସନାଲ ପବ୍ଲିକ ଡିପ୍ଲୋମେସି ନିର୍ଦ୍ଦେଶାଳୟ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। କାରଣ, ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସହିତ କାର୍ଯ୍ୟ କରୁଥିବା ଫଟୋ ସାମ୍ବାଦିକମାନେ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକା ନିକଟବର୍ତ୍ତୀ ସ୍ଥାନରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ନୃଶଂସ ହତ୍ୟାକାଣ୍ଡକୁ କଭର କରିବାକୁ ଯାଇଥିଲେ।
ଇସ୍ରାଏଲ ଏହି ସାମ୍ବାଦିକମାନଙ୍କୁ ମାନବିକତା ବିରୋଧୀ ଅପରାଧରେ ସହଯୋଗୀ ବୋଲି କହିବା ସହ ସେମାନଙ୍କ କାର୍ଯ୍ୟ ବୃତ୍ତିଗତ ନୈତିକତାର ବିପରୀତ ବୋଲି କହିଛି।
ଇସ୍ରାଏଲର ସରକାର ଏହି ଫଟୋଗ୍ରାଫରମାନଙ୍କୁ ନିୟୋଜିତ କରିଥିବା ଗଣମାଧ୍ୟମ ସଂସ୍ଥାର ବ୍ୟୁରୋ ମୁଖ୍ୟମାନଙ୍କୁ ଏକ ଜରୁରୀ ଚିଠି ଜାରି କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ କୁହାଯାଇଛି ଯେ ଏହି ଘଟଣାରେ ସଂପୃକ୍ତ ସାମ୍ବାଦିକ/ ଫଟୋଗ୍ରାଫରମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ପବ୍ଲିକ ଡିପ୍ଲୋମେସି ନିର୍ଦ୍ଦେଶାଳୟ ଦାବି କରିଛି।
ସୂଚନାଯୋଗ୍ୟ, ଅନେଷ୍ଟ ରିପୋର୍ଟିଂ ଇସ୍ରାଏଲ ଉପରେ ହମାସ ଆକ୍ରମଣ ସମୟରେ ଉପସ୍ଥିତ ଥିବା ୬ଜଣ ଫ୍ରିଲାନ୍ସ (ମୁକ୍ତବୃତ୍ତ) ଫଟୋ ସାମ୍ବାଦିକଙ୍କୁ ଚିହ୍ନଟ କରିଛି । ରଏଟର୍ସ, ଆସୋସିଏଟେଡ୍ ପ୍ରେସ୍ ଏବଂ ନ୍ୟୁୟର୍କ ଟାଇମ୍ସରେ କାମ କରୁଥିବା ଏହି ସାମ୍ବାଦିକମାନେ ଏକ ଜଳୁଥିବା ଇସ୍ରାଏଲୀ ଟ୍ୟାଙ୍କ ସମେତ ହମାସ ଅପହରଣକାରୀମାନେ ଜର୍ମାନ-ଇସ୍ରାଏଲ ମହିଳା ଶନି ଲୁକଙ୍କ ସମେତ ସାଧାରଣ ନାଗରିକଙ୍କ ମୃତଦେହ ନେଇ ଯାଉଥିବାର ଫଟୋ ଉଠାଇଥିଲେ।
ଅନ୍ୟପକ୍ଷରେ ରଏଟର୍ସ ଏକ ବିବୃତିଜାରି କରି ହମାସ ଆକ୍ରମଣ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିବା ସ୍ପଷ୍ଟ କରିଛି। ଅକ୍ଟୋବର ୭ ତାରିଖ ସକାଳେ ସୀମାରେ ଥିବା ଗାଜାର ଦୁଇ ଜଣ ଫ୍ରିଲାନ୍ସ ଫଟୋଗ୍ରାଫରଙ୍କଠାରୁ ରଏଟର୍ସ ଫଟୋ ସଂଗ୍ରହ କରିଥିଲା, ଯେଉଁମାନଙ୍କ ସହ ସଂସ୍ଥାର ପୂର୍ବ ସମ୍ପର୍କ ନଥିଲା ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Gaza-Journalists.jpg)