ସାମରିକ ବିଶେଷଜ୍ଞଙ୍କ ମତ: ଚୀନ୍‌ର ମୁକାବିଲା ପାଇଁ ‘ଅଗ୍ନିପଥ’ ଏକମାତ୍ର ପଥ

ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ହେଲା ପୂର୍ବ ଲଦାଖ ଅଞ୍ଚଳରେ ୧୦,୦୦୦ରୁ ୧୫,୦୦୦ ଫୁଟ୍ ଉଚ୍ଚତାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ୧୫୯୭ କିମି ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚୀନ୍ ସେନା (ପିଏଲ୍‌ଏ)ର ସବୁ ଚାଲ୍‌କୁ ପଣ୍ଡ କରୁଛନ୍ତି ପ୍ରାୟ ୪୦,୦୦୦ରୁ ଊର୍ଦ୍ଧ୍ବ ଭାରତୀୟ ସୈନିକ। ଭାରତୀୟ ସେନା ପାର୍ବତୀୟ ଉଚ୍ଚତାରେ ପାହାଡ଼ଶ୍ରେଣୀରେ ନିୟୋଜିତ ଥିବା ବେଳେ ଚୀନ୍ ସେନା ଅଛନ୍ତି ତିବ୍ବତୀୟ ମାଳଭୂମି ଅଞ୍ଚଳରେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ। ତେଣୁ ପ୍ରତି ତିନିମାସରେ ଥରେ ଭାରତୀୟ ସୈନ୍ୟଙ୍କୁ ପରିବର୍ତ୍ତନ କରିବାକୁ ପଡ଼େ। କାରଣ ଶତ୍ରୁ ସେନାର ନିରନ୍ତର ଚାପ ଭିତରେ ଏଭଳି ପ୍ରତିକୂଳ ପରିବେଶରେ ଅଧିକ ଦିନ ରହିଲେ ଆମ ସେନାର ଶରୀରିକ ଓ ମାନସିକ ବଳ ହ୍ରାସ ପାଇଥାଏ।

ସି ଜିନପିଙ୍ଗଙ୍କ ପରି ଆଜୀବନ ନେତାଙ୍କ ନେତୃତ୍ବରେ ଚୀନ୍‌ର ବିସ୍ତାରବାଦୀ ମନୋବୃତ୍ତି ଭିତରେ ଭାରତକୁ ଆଗାମୀ ଦିନରେ ଏଲ୍‌ଏସିର ସମସ୍ତ ୩୪୮୮ କିମି ବ୍ୟାପୀ ସେନା ମୁତୟନ କରିବାକୁ ପଡ଼ିବ। ଯେହେତୁ ଏଲ୍‌ଏସିର ପ୍ରତି ବର୍ଗ ଇଞ୍ଚରେ ସୈନ୍ୟ ମୁତୟନ ସମ୍ଭବ ନୁହେଁ, ତେଣୁ ବର୍ତ୍ତମାନ ପରିସ୍ଥିତିର ମୁକାବିଲା ପାଇଁ ଭାରତକୁ ୨୪ ଘଣ୍ଟା ପାଟ୍ରୋଲିଂ ଅପେକ୍ଷା ସର୍ଭେଲାନ୍ସ ଡିଭାଇସ୍ ଦ୍ବାରା ଏଲ୍‌ଏସିକୁ ମନିଟର କରିପାରୁଥିବା ଟେକ୍ନିକାଲ କାପାସିଟି ଯୁକ୍ତ ଯୁବକଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବାକୁ ପଡ଼ିବ। ବର୍ତ୍ତମାନ ମୋଦୀ ସରକାର ‘ଅଗ୍ନିପଥ’ ଯୋଜନା ଘୋଷଣା କରୁ କରୁ ବିହାର ଓ ତେଲେଙ୍ଗାନା ସମେତ ଦେଶର ଅନେକ ଅଞ୍ଚଳରେ ଏହାକୁ ବିରୋଧ କରି ପୋଡ଼ାଜଳା ଆରମ୍ଭ ହୋଇଯାଇଛି। ଏପରି ପୋଡ଼ାଜଳା କରୁଥିବା ଯୁବକମାନେ କେବେହେଲେ ଭାରତୀୟ ସେନାର ଶୃଙ୍ଖଳା ମାନି ଚାଲିପାରିବେ ନାହିଁ ଏବଂ ଚାଇନିଜ୍ ଡ୍ରୋନ୍ ବା ରକେଟ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରିବେ ବୋଲି କେତେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି। ଆଞ୍ଚଳିକ ସୁରକ୍ଷା ପରିସ୍ଥିତିକୁ ଦେଖି ଭାରତୀୟ ସେନାରେ ସବୁଠୁ ଉପଯୁକ୍ତ, ଶୃଙ୍ଖଳିତ ଓ ସାହସୀ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନଙ୍କ ପାଖରେ ଚୀନ୍ ସେନା ସହ ମୁକାବିଲା କରିବାର ସାହସ ଥିବ। ସେମାନଙ୍କୁ ସର୍ବୋତ୍ତମ ସାମରିକ ଭିତ୍ତିଭୂମି, ଅସ୍ତ୍ରଶସ୍ତ୍ର ଆଦି ଯୋଗାଇଦିଆଯିବ।

ଅଗ୍ନିପଥ ଯୋଜନାରେ କେବଳ ଭାରତୀୟ ସେନାରେ ହାରାହାରି ବୟସ କମାଇବାକୁ ଯୋଜନା କରାଯାଇ ନାହିଁ, ବରଂ ଅଗ୍ନିବୀରମାନଙ୍କ ଭିତରେ ଶୃଙ୍ଖଳା, ଦେଶପ୍ରେମ ଓ ଦକ୍ଷତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସର୍ବନିମ୍ନ ୪ ବର୍ଷ ଭିତରେ ସେମାନେ ଉପଯୁକ୍ତ ତାଲିମ ସହ ବୈଷୟିକ ଦକ୍ଷତା ଅର୍ଜନ କରିବେ। ଏମାନଙ୍କୁ ସଦର୍ଣ୍ଣ କମାଣ୍ଡରେ ନିଯୁକ୍ତି ଦିଆଯିବ ନାହିଁ ବରଂ ନିମ୍ନ ବାୟୁଚାପ ଓ କମ୍ ଅମ୍ଳଜାନ ଥିବା ପାର୍ବତୀୟ ଉଚ୍ଚତାରେ ନିଯୁକ୍ତି ଦିଆଯିବ। କାରଣ ଏପରି ପରିବେଶ ପାଇଁ ବୟସ୍କ ଯୋଦ୍ଧା ଅପେକ୍ଷା ପ୍ରଯୁକ୍ତି ଜ୍ଞାନସମ୍ପନ୍ନ ଯୁବ ଯୋଦ୍ଧା ଅଧିକ ଉପଯୁକ୍ତ ବୋଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ସଦସ୍ୟ ଥିବା ଜନୈକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଗତ ଦଶନ୍ଧିଗୁଡ଼ିକରେ ଦେଶରେ ସମସ୍ତଙ୍କୁ ବାଧ୍ୟତାମୂଳକ ସାମରିକ ତାଲିମ ଦେବା ବିଷୟରେ ଆଲୋଚନା ହୋଇ ଆସୁଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ସୁଯୋଗ ଆସିଲା ସେତେବେଳେ ସରକାରୀ ସମ୍ପତ୍ତିକୁ ପୋଡ଼ାଜଳା କରିବା ଆରମ୍ଭ ହୋଇଗଲା। ଜଣେ ପୋଡ଼ାଜଳାକାରୀ କେମିତି ଜଣେ ସୈନିକ ହୋଇପାରିବ? ୨୦୨୦ ଜୁନ୍ ୧୫ ଗଲୱାନ ସଂଘର୍ଷ ଆମ ଆଖି ଖୋଲିଦେଇଛି, ଯେଉଁ ଘଟଣା ପରେ ଭାରତୀୟ ସେନାକୁ ସବୁ ସମୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଲାଗି ‘ଅଗ୍ନିପଥ’ ଯୋଜନା ଏକମାତ୍ର ପଥ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି।

ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ୩ ସେନାର ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ଭାରତୀୟ ସ୍ଥଳ ‌ସେନା, ବାୟୁ ସେନା ଏବଂ ନୌସେନାର ମୁଖ୍ୟଙ୍କୁ ଭେଟି ରାଜାନାଥ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଯେଉଁ ସ୍ଥିତି ଉପୁଜିଛି ସେନେଇ ଆଲୋଚନା କରିଛନ୍ତି। ବୈଠକରେ ବାୟୁସେନା ମୁଖ୍ୟ ଭିଆର୍‌ ଚୌଧାରୀ, ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାର ଏବଂ ସେନାର ଉପମୁଖ୍ୟ ଜେନେରାଲ ବିଏସ୍‌ ରାଜୁ ଯୋଗ ଦେଇଥିଲୋ। ସେନାମୁଖ୍ୟ ମନୋଜ ପାଣ୍ଡେ ଏକ ଅଫିସ୍‌ ଟୁର୍‌ରେ ହାଇଦ୍ରାବାଦରେ ଥିବାବେଳେ ସେ ବୈଠକରେ ଯୋଗ ‌ଦେଇପାରିନାହାନ୍ତି। ଅଗ୍ନିପଥ ଯୋଜନାର ତ୍ବରିତ କାର୍ଯ୍ୟାନ୍ବୟନ ଏବଂ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ। ବାୟୁସେନା ମୁଖ୍ୟ ଭି ଆର ଚୌଧାରୀ ମଧ୍ୟ କହି ସାରିଛନ୍ତି ଯେ ନୂଆ ଯୋଜନା ଅଧୀନରେ ନିଯୁକ୍ତି ଜୁନ୍‌ ୨୪ରୁ ଆରମ୍ଭ ହେବ। ସ୍ଥଳସେନା ଏବଂ ନୌସେନା ମଧ୍ୟ ଏନେଇ ଘୋଷଣା କରି ସାରିଛନ୍ତି। ୩ ସେନା ଦ୍ବାରା ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କୁ ଆସନ୍ତା ବର୍ଷ ଜୁନ୍‌ରୁ ଉଭୟ ଅପରେସନାଲ ଏବଂ ନନ୍‌ ଅପରେସନାଲ୍‌ ଦାୟିତ୍ବରେ ରଖିବାପାଇଁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର