ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବରେ ବର୍ତ୍ତମାନ ଭୟଙ୍କର ସ୍ଥିତିରେ ରହିଛି। ଲୋକେ ଟିକା ପାଇଁ ଅନାଇ ବସିଛନ୍ତି। ଏହାବ୍ୟତୀତ କରୋନା ବିରୋଧରେ ଟିକାର ଫଳପ୍ରଦତା ମଧ୍ୟ ଭଲ ରହିଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଠିକ୍ ହେବନାହିଁ। ଅନ୍ତର୍ଜାତୀୟ ସ୍ତରର ମେଡିକାଲ ମାଗାଜିନ୍ ଲାନସେଟ୍ ପକ୍ଷରୁ ଏହା କୁହାଯାଇଛି। ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ)ର ବୈଜ୍ଞାନିକମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଏପରିକି ଡେଲଟା ପ୍ରଜାତିର ଭୂତାଣୁ ପାଇଁ ମଧ୍ୟ ଟିକାର ଫଳପ୍ରଦତା ହାର ଏତେ ଅଧିକ ରହିଛି ଯେ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଠିକ ନୁହେଁ ବୋଲି କୁହାଯାଇଛି।
ବର୍ତ୍ତମାନ ଉପଲବ୍ଧ ଥିବା ବିଭିନ୍ନ ପରୀକ୍ଷଣର ଅନୁଧ୍ୟାନ ଅନୁଯାୟୀ କରୋନା ଲୋକଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେଉନାହିଁ ବୋଲି ସେମିତି ବିଶ୍ବାସଯୋଗ୍ୟ ତଥ୍ୟ ନାହିଁ। ଲୋକଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେବା ହିଁ ଟିକାକରଣର ମୁଖ୍ୟ ଲକ୍ଷ୍ୟ। ଟିକା ଯୋଗାଣ ମଧ୍ୟ ସୀମିତ ରହିଛି। ତେଣୁ ଗୁରୁତର ହେବା ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଟିକା ଦିଆଗଲେ ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଯଦିଓ ବୁଷ୍ଟର ଡୋଜ୍ ଦେଇ କିଛିଟା ଲାଭ ହାସଲ କରାଯାଇ ପାରିବ କିନ୍ତୁ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଟିକା ଦେବା ତୁଳନାରେ ସମାଜ ପାଇଁ ଏହା ଅଧିକ ଲାଭଦାୟକ ହେବନାହିଁ। ଯେଉଁଠି ଅଧିକ ଆବଶ୍ୟକ ଯଦି ସେଠାରେ ଟିକା ଦିଆଯାଏ ତାହେଲେ କରୋନା ଭୂତାଣୁ ପ୍ରଜାତିର ଅଧିକ ବିବର୍ତ୍ତନ ହେବାକୁ ଦିଆ ନଯାଇ ମହାମାରୀକୁ ରୋକାଯାଇ ପାରିବ ବୋଲି ଉକ୍ତ ନିବନ୍ଧର ମୁଖ୍ୟ ଲେଖକ ଡାକ୍ତର ଆନା ମେରିଆ ହେନାଓରେଷ୍ଟ୍ରେପୋ କହିଛନ୍ତି।
ପ୍ରମୁଖ ପ୍ରଜାତି ଗୁଡ଼ିକ କ୍ଷେତ୍ରରେ ଟିକା ବିଶେଷ ସହାୟକ ହେଉଛି। ଡେଲଟା ଏବଂ ଆଲଫା ଭଳି ପ୍ରଜାତି କ୍ଷେତ୍ରରେ ରୋଗୀଙ୍କୁ ଗୁରୁତର ହେବାକୁ ନଦେବାରେ ଏହା ୯୫% ଫଳପ୍ରଦ ରହୁଛି। ସେହିଭଳି କରୋନା ସଂକ୍ରମଣରୁ ସୁରକ୍ଷା ଦେବାରେ ଏହା ୮୦% ଫଳପ୍ରଦ ରହୁଛି।
ଟିକା ନେଇଥିବା ବ୍ୟକ୍ତିମାନଙ୍କର ଆଣ୍ଟିବଡି ଯଦିଓ ସମୟକ୍ରମେ ହ୍ରାସ ପାଉଛି ତଥାପି ରୋଗୀକୁ ଗୁରୁତର ହେବାରୁ ସୁରକ୍ଷା ଦେବାରେ ଏହା ସଫଳ ହେଉନାହିଁ ବୋଲି କୁହାଯାଇ ପାରିବ ନାହିଁ। ଯଦି ବି ଟିକାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ ତାହେଲେ କେଉଁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବିପଦକୁ ରୋକିବା ତୁଳନାରେ ଅନ୍ୟ ଲାଭ ଅଧିକ ରହୁଛି ତାହାକୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ବର୍ତ୍ତମାନର ଟିକାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବା ପରିବର୍ତ୍ତେ ସମ୍ଭାବ୍ୟ ନୂଆ ପ୍ରଜାତିକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ବୁଷ୍ଟର ପ୍ରସ୍ତୁତ କରାଯାଇ ପାରିଲେ ତାହା ଅଧିକ ଫଳପ୍ରଦ ରହିବ ବୋଲି ମତ ଦିଆଯାଇଛି। ବର୍ତ୍ତମାନ ଉପଲବ୍ଧ ହେଉଥିବା ଟିକା ନିରାପଦ, ଫଳପ୍ରଦ ଏବଂ ଜୀବନ ରକ୍ଷା କରୁଛି। ଟିକା ନେଇଥିବା ବ୍ୟକ୍ତିଙ୍କ ପ୍ରତିରୋଧକ ଶକ୍ତି ବଢ଼ାଇ କରୋନା ମହାମାରୀକୁ କମାଇବା ଚିନ୍ତାଧାରା ଯଦିଓ ଭଲ ଲାଗୁଛି ତଥାକୁ ଏ ସଂପର୍କରେ କୌଣସି ନିଷ୍ପତ୍ତି ପ୍ରମାଣ ଭିତ୍ତିକ ହେବା ଆବଶ୍ୟକ। ସେହିଭଳି ବ୍ୟକ୍ତି ଏବଂ ସମାଜ ପାଇଁ ରହିଥିବା ବିପଦ ଓ ଲାଭକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି।