ହାର୍ଭାର୍ଡ ରିପୋର୍ଟ, ଦିଲ୍ଲୀରେ ୧୫୦ରୁ ଅଧିକ ଶିକ୍ଷକ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ନିଯୁକ୍ତ ହୋଇଥିବା ୧୫୦ରୁ ଅଧିକ ସ୍କୁଲ୍‌ ଶିକ୍ଷକ କରୋନା ସଂକ୍ରମିତ ‌ହୋଇଛନ୍ତି। କରୋନା ଡ୍ୟୁଟିରେ ଥିବା ୪ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହୋଇଛି। ଏମ୍‌ସିଡି (ଦିଲ୍ଲୀ ପୌର ନିଗମ) ଦ୍ବାରା ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦିଲ୍ଲୀରେ ପ୍ରଥମ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହେବାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୧ କୋଟି ଟଙ୍କାର କ୍ଷତିପୂରଶ ଘୋଷଣା କରିଥିଲେ। ସରକାରୀ ସ୍କୁଲ୍‌ ଶିକ୍ଷକ ସଂଗଠନର ସାଧାରଣ ସଚିବ ଅଜୟବୀର ଯାଦବ କହିଛନ୍ତି, ଏହା ଖୁବ୍‌ ଦୁର୍ଭାଗ୍ୟଜନକ ଯେ, କରୋନା ଡ୍ୟୁଟିରେ ଥିବା ଅଧିକାଂଶ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥିତିରେ କରୋନାରେ ଆଖି ବୁଜୁଥିବା ଶିକ୍ଷକଙ୍କ ପାଇଁ ୧ କୋଟି ଟଙ୍କା ଦାବି କରାଯାଇଛି। ତେବେ ଅଧିକ ଶିକ୍ଷକ ସଂକ୍ରମଣର ଶିକାର ନ ହେବାପାଇଁ କିଛି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ଏବଂ ସେମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ପିପିଇ କିଟ୍‌ ଯୋଗାଇବାକୁ ପଡ଼ିବ ବୋଲି ଯାଦବ କହ‌ିଛନ୍ତି। ଦିଲ୍ଲୀରେ ଏବେ ହଜାର ହଜାର ଶିକ୍ଷକ କରୋନା ଡ୍ୟୁଟିରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଶିକ୍ଷକ ରାସନ୍‌ ବାଣ୍ଟୁଥିବା ବେଳେ କେତେଜଣ ଆଶ୍ରୟସ୍ଥଳ ଏବଂ ଆଉ କେତେଜଣ ଆଇସୋଲେସନ୍‌ ୱାର୍ଡ‌୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର