ଡରାଇଲାଣି ପାଣିପାଗ ବିଭାଗର ପୂର୍ବାନୁମାନ, ୫୦ଡିଗ୍ରି ଛୁଇଁପାରେ ତାପମାତ୍ରା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତର ଅନେକ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ୟୁପି, ଦିଲ୍ଲୀ, ବିହାର, ହରିୟାଣା, ରାଜସ୍ଥାନ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ, ପାଣିପାଗ ବିଭାଗ ଡରାଇବା ଭଳି ଭବିଷ୍ୟବାଣୀ କରିଛି। ତାପମାତ୍ରା ବୃଦ୍ଧିକୁ ଦେଖି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ସେଲସିୟସକୁ ଛୁଇଁପାରେ।

ପାଣିପାଗ ବିଭାଗ କହିଛି ଯେ, ପାଣିପାଗ ବିଜ୍ଞାନ ଦୃଷ୍ଟିକୋଣରୁ ତାପମାତ୍ରା ୫୦ ଡିଗ୍ରି ସେଲସିୟସରେ ପହଞ୍ଚିପା‌ରେ। ମେ’ ମାସ ସବୁଠାରୁ ଉତ୍ତପ୍ତ ମାସ ହୋଇଥିବାରୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରି ସେଲସିୟସକୁ ଛୁଇଁପାରେ। ତେବେ ଏହା ସର୍ବକାଳୀନ ଉଚ୍ଚ ରେକର୍ଡ ନୁହେଁ। ପୂର୍ବରୁ ସର୍ବାଧିକ ତାପମାତ୍ରା ୫୨.୬ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଛି।

indiatoday

ଏବେ କିଛି ଦିନ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। କିନ୍ତୁ ଏମଧ୍ୟରେ ଏକ ଭଲ ଖବର ମଧ୍ୟ ଆସିଛି। ଚଳିତ ଦେଶରେ ମୌସୁମୀ ସ୍ବାଭାବିକ ରହିବ। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ସଂଲଗ୍ନ କେନ୍ଦ୍ର ଭାରତର ଅଞ୍ଚଳ ଓ ଉତ୍ତର ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ତେବେ ଉତ୍ତରପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଲଙ୍ଗ୍‌ ପିରିୟଡ ଆଭରେଜ୍‌ ଅନୁସା‌ରେ, ଦେଶରେ ୯୯% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ୫% କମ୍‌ କିମ୍ବା ୫% ବେଶି ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ। ୨୦୨୧ରେ ଦେଶରେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା। ଏବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ୨୦୧୯ ଓ ୨୦୨୦ରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ମେ’ ୧୫ ତାରିଖ ଆଡ଼କୁ ମୌସୁମୀର ଆଗମନ ଓ ଏହାର ପ୍ରଭାବ ଉପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର