ଶାସକ ଦଳ କଥାରେ ପୁଲିସ ପରିଚାଳିତ ହେଉଛି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶରେ ପୁଲିସ ଅଫିସର୍‌ମାନେ ଶାସକ ଦଳ କଥାରେ ପରିଚାଳିତ ହେଉଛନ୍ତି ଏବଂ ଏହି ଧାରା ଅତି ବିପଜ୍ଜନକ ବୋଲି ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି। ଯେଉଁ ପୁଲିସ ଅଫିସର ଶାସକ ଦଳର ଛତ୍ରଛାୟାରେ ରହିବାକୁ ଚାହୁଛନ୍ତି ସେମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି ଏବଂ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ନିର୍ଯାତନା ଦେଉଛନ୍ତି। ପୁଲିସ ଏବଂ ଶାସକ ଦଳ ମଧ୍ୟରେ ଏଭଳି ମଧୁଚନ୍ଦ୍ରିକା ଯୋଗୁଁ ଆଇନର ବ୍ୟବସ୍ଥା ହୁଗୁଳି ଯାଉଛି। ପୁଲିସ ଅଧିକାରୀମାନେ ଆଇନର ପାଳନ କରିବା ସହ ନୀତିନିଷ୍ଠ ‌ହେବା ଉଚି ବୋଲି ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏକ ଆବେଦନର ଶୁଣାଣି କରି କହିଛନ୍ତି। ଦେଶରେ ଏବେ ବିଭିନ୍ନ ସ୍ଥାନରେ ରାଜନୈତିକ ଉଦ୍ଦେଶ୍ୟ ଥାଇ ବିଭିନ୍ନ ମାମଲାରେ ତଦନ୍ତ ହେଉଥିବା ଏବଂ ପୁଲିସ ଶାସକ ଦଳର ପ୍ରତିଦ୍ବନ୍ଦ୍ବୀଙ୍କୁ ଟାର୍ଗେଟ୍‌ କରୁଥିବା ଅଭିଯୋଗ ହେଉଥିବାବେଳେ ପ୍ରଧାନ ବିଚାରପତିଙ୍କ ଏଭଳି ମନ୍ତବ୍ୟକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚାପୁଡ଼ା ମାରିବାକୁ କହି ଗିରଫ ହୋଇଥିବା ବେଳେ ଏଭଳି ସମୟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଶିବସେନା ତାଲିବାନ ପରି ବ୍ୟବହାର ଦେଖାଉଛି ଏବଂ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ନିର୍ଯାତନା ଦେଉଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାର ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହାର ନେତାମାନଙ୍କୁ ଟାର୍ଗେଟ୍‌ କରୁଛି। ସୁପ୍ରିମକୋର୍ଟ ଆଜି ଛତିଶଗଡ଼ର ଜଣେ ପୁଲିସ ଅଫିସରଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଯେ ପୁଲିସ ଏବଂ ଶାସକ ଦଳ ମିଳିତ ଭାବେ ଯେଉଁ ଅନର୍ଥକାରୀ କାମ କରିଥାନ୍ତି ପରବର୍ତ୍ତୀ ସମୟରେ ସରକାର ବଦଳିଲେ ସଂପୃକ୍ତ ପୁଲିସ ଅଫିସର୍‌ଙ୍କୁ ଶାସକ ଦଳ ଟାର୍ଗେଟ୍‌ କରୁଛି। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଗୁରଜିନ୍ଦର ପାଲ୍‌ ସିଂହ ତାଙ୍କ ବିରୋଧରେ ଦୁର୍ନୀତି ଏବଂ ଦେଶଦ୍ରୋହ ମାମଲା ହୋଇଥିବାରୁ ଏହାକୁ ରଦ୍ଦ କରିବାପାଇଁ କୋର୍ଟ‌ରେ ଅନୁରୋଧ କରିଥିଲେ। ସେ ପୂର୍ବ ବିଜେପି ସରକାର ସମୟରେ ନେଇଥିବା କେତେକ ପଦକ୍ଷେପ ପାଇଁ ଏବେ ବର୍ତ୍ତମାନର ରାଜ୍ୟ କଂଗ୍ରେସ ସରକାର ତାଙ୍କୁ ଟାର୍ଗେଟ୍‌ କରିଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର