ଶ୍ରୀଲଙ୍କା ଚର୍ଚ୍ଚ ଧର୍ମଗୁରୁଙ୍କ ମତ: ଶାସନ କରିବା ଜନାଦେଶ ରାଷ୍ଟ୍ରପତିଙ୍କର ଆଉ ନାହିଁ

ଦାୟିତ୍ବ ନିର୍ବାହ କରିବେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର

କଲମ୍ବୋ: ଶ୍ରୀଲଙ୍କାର ଚର୍ଚ୍ଚରେ ଅବସ୍ଥାପିତ ପଦାଧିକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଦେଶକୁ ଶାସନ କରିବାର ଜନାଦେଶ ରାଷ୍ଟ୍ରପତିଙ୍କ ପାଖରେ ନାହିଁ ବୋଲି ସେମାନେ କହିଛନ୍ତି। ଦେଶକୁ ଦେବାଳିଆ ଅବସ୍ଥାକୁ ନେଇଥିବାର ବ୍ୟକ୍ତିଗତ ଦୋଷ ରାଷ୍ଟ୍ରପତି ନିଜ ମୁଣ୍ଡକୁ ନେବା ଉଚିତ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଧାର୍ମିକ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ନାଗରିକ ସମାଜ, ଲୋକମାନେ ସାଧାରଣରେ ଯେଉଁ ପ୍ରତିକ୍ରିୟା ଦେଖାଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ରାଷ୍ଟ୍ରପତି ଆସ୍ଥା ହରାଇଛନ୍ତି। ତେଣୁ ଦେଶ ଶାସନ କରିବାର କୌଣସି ଅଧିକାର ତାଙ୍କର ନାହିଁ ବୋଲି କୁହାଯାଇଛି।

କଲମ୍ବୋ: ଶ୍ରୀଲଙ୍କାରେ ଏକ ନୂଆ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ହେବ। ଏଥିପାଇଁ ପଥ ପ୍ରସ୍ତୁତ କରିବା ନିମନ୍ତେ ରାଷ୍ଟ୍ରପତି ଓ କ୍ୟାବିନେଟରେ ଥିବା ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ ଇସ୍ତଫା‌ ଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ତାଙ୍କର ଇସ୍ତଫା ସଂପର୍କରେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କୁ ଅବଗତ କରାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଇସ୍ତଫା ନଦେଇ ଦାୟିତ୍ବ ସଂପାଦନ କରିବେ। ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଲେ ଆଇଏମଏଫ ଠାରୁ ପ୍ୟାକେଜ ଆଣିବା ନେଇ ଯେଉଁ କଥାବାର୍ତ୍ତା ଚାଲିଛି ତାହା ବାଧାପ୍ରାପ୍ତ ହେବ ବୋଲି ଗଭର୍ଣ୍ଣର ପି ନନ୍ଦନାଲ ୱିରାସିଂଘେ କହିଛନ୍ତି। ଦେଶରେ ରାଜନୈତିକ ସ୍ଥିରତା ନରହିଲେ ସେ ଇସ୍ତଫା ଦେବେ ବୋଲି ଗତ ମେ’ ମାସରେ କହିଥିଲେ। କିନ୍ତୁ ଏବେ ‌କହିଛନ୍ତି ସେ ତାଙ୍କ ଦାୟିତ୍ବ ନିର୍ବାହ କରିବେ। ସୋମବାର ‌କଲମ୍ବୋ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଆନ୍ଦୋଳନକାରୀମାନେ ରାଷ୍ଟ୍ରପତିଙ୍କ ସଚିବାଳୟ ଏବଂ ବାସଭବନ ଭିତରକୁ ପଶି ଉପନିବେଶ ଅମଳର ପୁରୁଣା କୋଠା ବୁଲି ଦେଇଛନ୍ତି। ପୁଲିସ କାହାରିକୁ ଅଟକାଇ ନାହିଁ। ତେବେ ଗତ ଶୁକ୍ରବାର ଠାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସେମାନଙ୍କ ବାସଭବନରେ ଦେଖିବାକୁ ମିଳିନାହାନ୍ତି। ରାଷ୍ଟ୍ରପତିଙ୍କ ଅବସ୍ଥିତି ସଂପର୍କରେ ସ୍ପଷ୍ଟ ଚିତ୍ର ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ଆଜି କ୍ୟାବିନେଟ ମନ୍ତ୍ରୀମାନଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ସକାଳେ ବୈଠକ କରିଥିବା ୱିକ୍ରମସିଂଘେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୱିକ୍ରମସିଂଘେଙ୍କ ବ୍ୟକ୍ତିଗତ ଘରକୁ ଆନ୍ଦୋଳନକାରୀ ଶନିବାର ଆନ୍ଦୋଳନକାରୀମାନେ ଜାଳି ଦେଇଥିଲେ। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର