ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଯୋଗୁ ବିଶ୍ବବ୍ୟାପୀ ପ୍ରାୟ ୯୩% ଦେଶରେ ମାନସିକ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ପରିଚାଳିତ ଏକ ସର୍ବେକ୍ଷଣରୁ ଜଣାଯାଇଛି। ୧୩୦ଟି ଦେଶରେ କରାଯାଇଥିବା ଏଇ ସର୍ବେକ୍ଷଣର ତଥ୍ୟ ମାନସିକ ସ୍ବାସ୍ଥ୍ୟ ସେବା ଲାଭ କରିବାରେ କରୋନା ଭୂତାଣୁ ମହାମାରୀର ଧ୍ବଂସକାରୀ ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ଏଥିପାଇଁ ବର୍ଦ୍ଧିତ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ବାରୋପ କରିଛି। ଆସନ୍ତା ୧୦ ତାରିଖରେ ‘ହୁ’ ପକ୍ଷରୁ ଆୟୋଜିତ ‘ବିଗ୍ ଇଭେଣ୍ଟ୍ ଫର୍ ମେଣ୍ଟାଲ ହେଲ୍ଥ’ କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ର ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସମବେତ ହେବାକୁ ଥିବା ବେଳେ ତାହା ପୂର୍ବରୁ ପ୍ରକାଶିତ ଏହି ସର୍ବେକ୍ଷଣ ରିପୋର୍ଟ ସମ୍ପ୍ରତି ଉପେକ୍ଷିତ ହୋଇଯାଇଥିବା ମାନସିକ ସ୍ବାସ୍ଥ୍ୟ ସେବାର ପୁନରୁଦ୍ଧାର ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ଲାଗି ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
ଅବଶ୍ୟ ମାନସିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଷ୍ଟ୍ରମାନେ ଅତି ନଗଣ୍ୟ ବ୍ୟୟବରାଦ କରୁଥିବା କଥା ପୂର୍ବରୁ ‘ହୁ’ ଦର୍ଶାଇ ଆସିଛି। ସୂଚନା ଥାଉ କି, ମହାମାରୀ ପୂର୍ବରୁ ଦେଶଗୁଡ଼ିକ ସେମାନଙ୍କ ସ୍ବାସ୍ଥ୍ୟ ଅଟକଳର ମାତ୍ର ୨ ପ୍ରତିଶତ ମାନସିକ ସ୍ବାସ୍ଥ୍ୟସେବାରେ ବିନିଯୋଗ କରୁଛନ୍ତି ଯାହା କି ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କଷ୍ଟକର ହୋଇଆସିଛି। ଉଲ୍ଲେଖଯୋଗ୍ୟ, ମୃତ୍ୟୁଶୋକ, ଏକାନ୍ତବାସ, ରୋଜଗାର ହାନି ଏବଂ ଅନ୍ୟାନ୍ୟ ଭୟ ଆଦି ମାନସିକ ସ୍ଥିତିକୁ ଅସନ୍ତୁଳନ କରିଥାଏ ଅଥବା ପୁରୁଣା ଅସୁସ୍ଥତାକୁ ବଢ଼ାଇଥାଏ। ସଂଖ୍ୟାଧିକ ଲୋକ ନିଦ୍ରାହୀନତା ଏବଂ ଉତ୍କଣ୍ଠା ବା ଦୁଶ୍ଚିନ୍ତାର ଶିକାର ହୋଇ ଚାଲିଛନ୍ତି। ଏହି ଅବସରରେ କୋଭିଡ୍ ଲୋକଙ୍କ ମନରେ ପ୍ରମାଦ ବା ଉନ୍ମାଦ, ଆନ୍ଦୋଳନ ବା ଉତ୍ତେଜନା ଏବଂ ମସ୍ତିଷ୍କଘାତ ପରି ଜଟିଳ ମାନସିକ ଏବଂ ସ୍ନାୟବିକ ସମସ୍ୟା ଭରିଦେଇଛି। ତେବେ ‘ହୁ’ ପକ୍ଷରୁ ୧୩୦ ଦେଶକୁ ୬ଟି କ୍ଷେତ୍ରରେ ଭାଗ କରି ପରିଚାଳିତ ସର୍ବେକ୍ଷଣରେ ମହାମାରୀ ବେଳେ କିଭଳି ଉପଲବ୍ଧ ମାନସିକ ସ୍ବାସ୍ଥ୍ୟ ସେବାରେ ଘଟିଥିବା ବ୍ୟତିକ୍ରମ ସବୁକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ଦେଶ ସେସବୁ ଆହ୍ବାନର ମୁକାବିଲା ପାଇଁ ନେଇଥିବା ଉପାୟ ସବୁକୁ ଲକ୍ଷ୍ୟ କରାଯାଇଥିଲା।
ସର୍ବେକ୍ଷଣର ତଥ୍ୟ ମୁତାବକ, ପ୍ରସବ ପର ସେବା ଲୋଡୁଥିବା ମହିଳାଙ୍କ ସମେତ ଶିଶୁଙ୍କ ଠାରୁ ଆରମ୍ଭ କରି ଅତି ବରିଷ୍ଠ ନାଗରିକଙ୍କ ଯାଏ ମାନସିକ ସ୍ବାସ୍ଥ୍ୟସେବା ଚାହୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଏଭଳି ସେବାରୁ ବଞ୍ଚିତ ହୋଇଥିଲେ। ସେହିପରି ୬୭ ପ୍ରତିଶତ ତତ୍ସଂକ୍ରାନ୍ତ ପରାମର୍ଶରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଅପରପକ୍ଷେ, ୩୫ ପ୍ରତିଶତ ଲୋକଙ୍କୁ ଜରୁରୀକାଳୀନ ମାନସିକ ସ୍ବାସ୍ଥ୍ୟସେବା କି ପରାମର୍ଶ ମିଳିପାରିନଥିବା ବେଳେ ୩୦ ପ୍ରତିଶତ ସେଥିପାଇଁ ଆବଶ୍ୟକ ଔଷଧ ପାଇପାରିନାହାନ୍ତି। ସେହିପରି ଦୁଇ ତୃତୀୟାଂଶ ଲୋକଙ୍କୁ ଆଂଶିକ ଭାବେ ଶିକ୍ଷାନୁଷ୍ଠାନ ବା କାର୍ଯ୍ୟସ୍ଥଳୀରେ ଉପଲବ୍ଧ ସେବା ମିଳିପାରିନଥିଲା। ତେବେ ଏ ସବୁ ପ୍ରକାର ଉପେକ୍ଷାକୁ ପ୍ରତିହତ କରିବା ପାଇଁ ୭୦ ପ୍ରତିଶତ ଦେଶ ଟେଲିଔଷଧ ବା ଟେଲିଚିକିତ୍ସା ଆଦି ଚଳାଇଥିବା ବେଳେ ଏହାକୁ ହାସଲ କରିବାରେ ଘୋର ତାରତମ୍ୟ ଦେଖାଯାଇଥିଲା। କିନ୍ତୁ ଏପରି ବ୍ୟବସ୍ଥାକୁ ୮୦ ପ୍ରତିଶତ ଉଚ୍ଚ ଆୟବର୍ଗର ଦେଶ ଆପଣାଇଥିବା ବେଳେ ନିମ୍ନ ଆୟବର୍ଗର ମାତ୍ର ୫୦ ପ୍ରତିଶତ ଦେଶ ତାହା କରିପାରିଥିଲେ। ସେହିପରି ମୋଟାମୋଟି ଭାବେ ୮୯ ପ୍ରତିଶତ ଦେଶ ସେମାନଙ୍କ କୋଭିଡ୍ପର ପୁନରୁଦ୍ଧାର ଯୋଜନାରେ ମାନସିକ ସ୍ବାସ୍ଥ୍ୟସେବାକୁ ସାମିଲ କରିଥିବା ବେଳେ ମାତ୍ର ୧୭ ପ୍ରତିଶତ ଦେଶ ଏ ଦିଗରେ ଅତିରିକ୍ତ ଖର୍ଚ୍ଚ କରିବାକୁ ଅଟକଳ କରିଥିବା ଜଣାଯାଇଛି।