ଆମେରିକା ଗୁଇନ୍ଦା ରିପୋର୍ଟ, ୩ ମାସରେ କାବୁଲ୍‌ କବ୍‌ଜା କରିବେ ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀ ହିଂସା ଦିନକୁ ଦିନ ଅତି ଭୟଙ୍କର ରୂପ‌ ନେଉଛି। ଆଫଗାନିସ୍ତାନର ୮ ପ୍ରାଦେଶିକ ସହରକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ତାଲିବାନ୍‌ ଏବେ କାବୁଲ ଉପ‌ରେ ଫୋକସ୍‌ କରିଛନ୍ତି। ତାଲିବାନ୍‌ମାନେ ମାତ୍ର ୩ ମାସ ମଧ୍ୟରେ କାବୁଲ୍‌କୁ କବ୍‌ଜା କରିନେବେ। ମାତ୍ର ୩୦ ଦିନରେ ସେମାନେ କାବୁଲ୍‌ରେ ପ୍ରବେଶ କରି କାବୁଲ୍‌କୁ ଅନ୍ୟ ଅଞ୍ଚଳରୁ ବିଚ୍ଛିନ କରିଦେବେ ଏବଂ ୯୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଦଖଲ କରିନେବେ। ଆମେରିକା ଗୁଇନ୍ଦା ସଂସ୍ଥା ଦ୍ବାରା ଏହି ଆକଳନ କରାଯାଇଛି। ତାଲିବାନ୍‌ ମାନେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ସହର ଉପରେ ଆକ୍ରମଣ କରିବା ସହ ସେଗୁଡ଼ିକ ଦଖଲ କରିଚାଲିଛନ୍ତି। ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆମେରିକା ଗୁଇନ୍ଦା ସଂସ୍ଥାର ଏହି ରିପୋର୍ଟ ଖୁବ୍‌ ଚିନ୍ତାଜନକ।

ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଫଗାନ ରାଷ୍ଟ୍ରପତି ଆଶରଫ୍‌ ଘନି ପୁଣିଥରେ ସେନା ମୁଖ୍ୟଙ୍କୁ ଦାୟିତ୍ବ‌ରେ ନିୟୋଜିତ କରିଛନ୍ତି। ସରକାରୀ ବାହିନୀ ଅଧିକରୁ ଅଧିକ ଅଞ୍ଚଳରୁ ନିଜର ନିୟନ୍ତ୍ରଣ ହରାଇଛନ୍ତି। ଇତି ମଧ୍ୟରେ ୱାସିଂଟନ୍‌ର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜଲ୍‌ମେ ଖଲିଜାଦ କତାରରେ ଅଛନ୍ତି ଏବଂ ତାଲିବାନ୍‌ଙ୍କୁ ଅସ୍ତ୍ରବିରତି ପାଇଁ ରାଜି କରାଇବାକୁ ସେ ‌ଚେଷ୍ଟା କରିଥିବା ଜଣାପଡ଼ିଛି। ଆଫଗାନିସ୍ତାନର ଅନ୍ୟ ଏକ ବଡ଼ ସହର ମଜର ଏ ସରିଫ୍‌ ଉପରେ ବି ତାଲିବାନ୍‌ମାନେ ଖୁବ୍‌ ଶୀଘ୍ର ଆକ୍ରମଣ କରିବେ ବୋଲି ଜଣାପଡ଼ିଛି। ବ୍ରିଟେନ୍‌, ଚୀନ୍‌, ପାକିସ୍ତାନ, ଉଜ୍‌ବେକିସ୍ତାନ, ଆମେରିକା ଏବଂ ୟୁରୋପୀୟ ସଂଘର ରାଷ୍ଟ୍ରଦୂତମାନେ ଆଫଗାନିସ୍ତାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିବ‌ା ଜଣାପଡ଼ିଛି। ତାଲିବାନ୍‌ ଆକ୍ରମଣ ଏବଂ ହିଂସା ଯୋଗୁଁ ଆଫଗାନିସ୍ତାନରେ ଅନେକ ଲୋକ ବାସଶୂନ୍ୟ ହୋଇଯାଇଛନ୍ତି।

କତାରରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍‌ ହିଂସା ଭୟଙ୍କର ରୂପ ନେଇଥିବାବେଳେ କତାର ଦ୍ବାରା ଆୟୋଜିତ ଏକ ବୈଠକରେ ଆସନ୍ତାକାଲି ହେବ। ଦୋହାରେ ହେବାକୁ ଥିବା ଉକ୍ତ ବୈଠକରେ ଆଫଗାନିସ୍ତାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ହେବ। ଏହି ବୈଠକରେ ଭାରତ ସମେତ ଇଣ୍ଡୋନେସିଆ ଏବଂ ତୁର୍କୀ ମଧ୍ୟ ଯୋଗ ଦେବେ। କତାର୍‌ର ଜଣେ ସ୍ବତନ୍ତ୍ର ରାଷ୍ଟ୍ରଦୂତ ମୁତଲାକ୍‌ ବିନ୍‌ ମଜଦ ଅଲ୍‌ ଖତାନି ବୈଠକ ପାଇଁ ଭାରତକୁ ଆମନ୍ତ୍ରଣ କରିଛନ୍ତି ବୋଲି କହିଥିଲେ ମଧ୍ୟ ଭାରତ ଯୋଗ ଦେବା ନେଇ ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।

ସମ୍ବନ୍ଧିତ ଖବର