ନୂଆଦିଲ୍ଲୀ : ଏଣିକି ଅଧିକାରୀମାନେ ସାଂସଦମାନଙ୍କୁ ଅଣଦେଖା କରିପାରିବେ ନାହିଁ। କେନ୍ଦ୍ର ସରକାର ସାଂସଦମାନଙ୍କ ପରାମର୍ଶ ଓ ଅଭିଯୋଗଗୁଡ଼ିକ ଉପରେ ଅଧିକାରୀମାନଙ୍କ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିଛନ୍ତି। ସାଂସଦମାନଙ୍କର ଅଭିଯୋଗ ସଂପର୍କିତ ବିଚାରାଧୀନ ମାମଲାର ସମାଧାନ ପାଇଁ ପ୍ରଥମ ଥର ପାଇଁ ଏକ ସଶକ୍ତ ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ରାଜିବ ଗୌବା କରିବେ ଓ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ।
ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ (ଡିଏଆର୍ପିଜି) ତରଫରୁ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ପିଏସ୍ୟୁଗୁଡ଼ିକୁ ଏ ସମ୍ପର୍କରେ ଆଦେଶ ଜାରି କରିଥିବା ସୂଚନା ମିଳିଛି। ଏଥିରେ ବିଭିନ୍ନ ବିଭାଗରେ ବାକିଥିବା ମାମଲାଗୁଡ଼ିକର ସମାଧାନ ସଂପର୍କରେ ଉଲ୍ଲେଖ ରହିଛି। ବିଭିନ୍ନ ବିଭାଗରେ କେବେ ଠାରୁ ସାଂସଦମାନଙ୍କ ଅଭିଯୋଗ ସଂକ୍ରାନ୍ତ ମାମଲା ବିଚାରାଧୀନ ରହିଛି, ତାହାକୁ ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ। ସାଂସଦମାନଙ୍କର ଅଭିଯୋଗ ଓ ପରାମର୍ଶଗୁଡ଼ିକର ସମାଧାନ ସଂପର୍କିତ ପ୍ରଗତିର ସମୀକ୍ଷା ମନ୍ତ୍ରାଳୟର ସଚିବ କରିବେ।