୭୦ ବର୍ଷ ପରେ ମୃତ ଅଭିଯୁକ୍ତଙ୍କୁ ମିଳିଲା ନ୍ୟାୟ: ମିଥ୍ୟା ଦୁଷ୍କର୍ମ ମାମଲାରେ ହୋଇଥିଲେ ଦଣ୍ଡିତ, ଶୁଣାଣି ବେଳେ ଉପସ୍ଥିତ ଥିଲେ ତଥାକଥିତ ପୀଡ଼ିତା

ଫ୍ଲୋରିଡା: ଦୀର୍ଘ ବର୍ଷର ବ୍ୟବଧାନ ପରେ ଫ୍ଲୋରିଡାର ‘ଗ୍ରୋଭଲାଣ୍ଡ୍‌ ଫୋର୍‌’ ନାମରେ ସାରା ବିଶ୍ୱରେ ପରିଚିତ ୪ ଅଭିଯୁକ୍ତ ଚାର୍ଲସ ଗ୍ରିନ୍‌ଲି, ଓ୍ଵାଲଟର୍‌ ଇର୍‌ଭିନ୍‌, ସାମୁଏଲ୍‌ ସେଫେର୍ଡ ଏବଂ ଅର୍ଣ୍ଣେସ ଥୋମାସଙ୍କୁ ଗଭର୍ଣ୍ଣର ରନ୍‌ ଡିସାଣ୍ଟିଜ୍‌ ଏବଂ ଫ୍ଲୋରିଡା କ୍ୟାବିନେଟ୍‌ ନିର୍ଦୋଷ ଘୋଷଣା କରିଛନ୍ତି। ସେ ସମୟରେ ନିଜକୁ ନିର୍ଦୋଷ ପ୍ରମାଣ କରିବାକୁ ଯାଇ ହାରି ଯାଇଥିବା କୃଷ୍ଣାଙ୍ଗ ଅଭିଯୁକ୍ତମାନଙ୍କୁ ୭୦ ବର୍ଷ ପରେ ରାୟ ମିଳିଛି।

୧୯୪୯ ମସିହାରେ ଜଣେ ଶ୍ୱେତାଙ୍ଗୀ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ୪ ଜଣ କୃଷ୍ଣାଙ୍ଗ ଯୁବକଙ୍କ ଉପରେ ଅଭିଯୋଗ ରହିଥିଲା। ଏମାନଙ୍କ ମାମଲା ଶୁଣାଣି ପୂର୍ବରୁ ହିଁ ଘଟଣା ଘଟିବାର କିଛି ଦିନ ପରେ ଅର୍ଣ୍ଣେସ ଥୋମାସଙ୍କୁ ଗୁଳି କରି ମାରି ଦିଆଯାଇଥିଲା।  ଅନ୍ୟ ୩ ଜଣଙ୍କୁ ସଂଦିଗ୍ଧ ପ୍ରମାଣ ଜରିଆରେ ଦୋଷୀ ସାବ୍ୟସ୍ତ କରାଗଲା। ପରେ ସାମୁଏଲ୍‌ଙ୍କୁ ବି ଗୁଳି କରି ହତ୍ୟା କରି ଦିଆଗଲା।

ସେ ସମୟରେ ଏହି ମାମଲାକୁ କୁହାଯାଉଥିଲା ‘ଐତିହାସିକ ବର୍ଣ୍ଣବୈଷମ୍ୟଭିତ୍ତିକ ଅନ୍ୟାୟ’। ଏହା ଉପରେ ଏକ ପୁସ୍ତକ ବି ରଚନା କରାଯାଇଛି। ପୁସ୍ତକର ଶୀର୍ଷକ ‘ଡେଭିଲ୍‌ ଇନ୍‌ ଦ ଗ୍ରୋଭ’। ଏହି ପୁସ୍ତକକୁ ୨୦୧୩ ମସିହାରେ ‘ପୁଲିତ୍‌ଜର ପୁରସ୍କାର’ ପ୍ରଦାନ କରାଯାଇଛି।

ତେବେ, ସୂଚନା ରହିଛି ଯେ ସେ ସମୟରେ ଏମାନଙ୍କ ମାମଲାର ଶୁଣାଣି କରିବା ଦାୟିତ୍ୱରେ ରହିଥିବା ବିଚାରକ ମଣ୍ଡଳୀ ଥିଲେ ଶ୍ୱେତାଙ୍ଗ। ଶୁଣାଣି ଦୋଷୀ-ନିର୍ଦୋଷ ଭିତ୍ତିରେ ନୁହେଁ ବରଂ କୃଷ୍ଣାଙ୍ଗ-ଶ୍ୱେତାଙ୍ଗ ଭିତ୍ତିରେ କରାଯାଇଥିଲା।

ଏହା ଏକ ପରମ ଅନ୍ୟାୟ। ଏହି ମାମଲାର ପୁନତଦନ୍ତ କରି ୪ ଜଣ ନିର୍ଦୋଷଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗତ ଥର ନିର୍ବାଚନୀ ପ୍ରଚାର ସମୟରେ ଗଭର୍ଣ୍ଣର ରନ୍‌ ଡିସାଣ୍ଟିଜ ସଂକଳ୍ପ ନେଇଥିଲେ। ସେ ସତକୁ ସତ ଏହି ମାମଲାର ଉଚିତ ବିଚାର କରି ନ୍ୟାୟ ପ୍ରଦାନ କରି କହିଛନ୍ତି କି ‘ଯଦିଓ ଆମ ଗହଣରେ ନଥିବା ୪ ଜଣ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମାତ୍ରେ ବାସ୍ତବରେ ସେମାନେ କୌଣସି ଦୋଷ କରିନଥିଲେ।’

ମାମଲାର ଶୁଣାଣି ବେଳେ କଥାକଥିତ ପୀଡ଼ିତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ସମୟରେ ପୀଡ଼ିତାଙ୍କ ବୟସ ଥିଲା ୧୭ ବର୍ଷ। ସେ ଏହି ଶୁଣାଣିକୁ ବିରୋଧ କରି ନିଜେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ସତ ଥିଲା ବୋଲି ଚିତ୍କାର କରି ଦାବି କରିଥିଲେ ମଧ୍ୟ ତାଙ୍କ କଥାକୁ ଅଣଦେଖା କରାଯାଇଛି।

ସମ୍ବନ୍ଧିତ ଖବର