ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ | ଦିଲ୍ଲୀର ଦ୍ୱାରକାଠାରେ ଜଣେ ଯୁବତୀଙ୍କ ଉପରେ ଦିନ ଦ୍ଵିପ୍ରହରରେ ଏସିଡ ଆକ୍ରମଣ କରାଯାଇଛି | ଆଜି ସକାଳେ ଏହି ଘଟଣା ଘଟିଛି ଏବଂ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି | ମିଳିଥିବା ସୂଚନା ଅନୁଯାୟୀ ଏସିଡ୍ ଆକ୍ରମଣର ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାଛଡା ଏସିଡ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି। କେଜ୍ରିୱାଲ କହିଛନ୍ତି, 'ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀମାନେ କିପରି ଏତେ ସାହସ ପାଇଲେ? ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍।
ଦିଲ୍ଲୀର ପ୍ରତ୍ୟେକ ବାଳିକାଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ'। ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ କହିଛନ୍ତି ଯେ ଦିନ ଦ୍ଵିପ୍ରହରରେ ଦୁଇ ଦୃବୁର୍ତ୍ତ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ସେମାନଙ୍କୁ କଣ ଆଇନକୁ ଭୟ କରନ୍ତି କି? କାହିଁକି ଏସିଡ୍ ନିଷେଧ କରାଯାଉନାହିଁ | ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି କହିଛି ଯେ ଆଜି ସକାଳେ ପିସିଆରକୁ ଏକ ଫୋନ କଲ ଆସିଥିଲା ଓ ଜଣେ ବ୍ୟକ୍ତି କହିଥିଲେ ଯେ ଜଣେ ୧୭ ବର୍ଷର ନାବାଳିକାକୁ ସକାଳ ପ୍ରାୟ ସାଢେ ୭ଟାବେଳେ ଦୁଇ ବାଇକ୍ ଚାଳକଙ୍କ ଏସିଡ ଆକ୍ରମଣ କରିଥିଲେ | ପୁଲିସର ସୂଚନାନୁସାରେ, ନାବାଳିକା ଜଣକ ତାଙ୍କ ସାନ ଭଉଣୀ ସହିତ ଯାଉଥିବାବେଳେ ଏହି ଘଟଣା ଘଟିଥିଲା | ଏହି ଘଟଣା ରାଜଧାନୀ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି। ସିସିଟିଭି ଫୁଟେଜକୁ ଦେଖି ପୁଲିସ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି |