ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଜ‌ଣେ ସ୍କୁଲ୍‌ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି। ଛାତ୍ରୀ ଜଣଙ୍କ ଏବେ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁହଁର ୮ ପ୍ରତିଶତ ଜଳି ଯାଇଛି। ଆଖି ମଧ୍ୟ ପ୍ରଭାବିତ ହୋଇଛି। ଛାତ୍ରୀଙ୍କ ବୟସ ୧୭। ୨ ଜଣ ଯୁବକ ଆଜି ବାଇକ୍‌ରେ ଆସି ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ। ଉକ୍ତ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପୀଡ଼ିତା ଛାତ୍ରୀଙ୍କ ବାପା କହିଛନ୍ତି, ମୋର ଦୁଇ ଝିଅ ଆଜି ସକାଳ ୭.୩୦ ସମୟରେ ସ୍କୁଲ୍‌ ଯାଇଥିଲେ। ତେବେ ସେମାନେ କିଛି ବାଟ ଚାଲିକି ଯିବାପରେ ଦୁଇ ଜଣ ଦୁର୍ବୃତ୍ତ ଆସି ମୋ ବଡ଼ ଝିଅ ଉପରକୁ ଏସିଡ୍‌ ପକାଇଥିଲେ। ତେବେ ତାଙ୍କ ଝିଅର କାହା ସହ ଶତ୍ରୁତା ନଥିବା କି କେହି ତାଙ୍କୁ ହଇରାଣ କରିନଥିବା ସେ କହିଛନ୍ତି।

Advertisment

ଏହି ଘଟଣାର ଏକ ଭିଡିଓ ଜାରି ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ୨ ଜଣ ଝିଅ ରାସ୍ତାକଡ଼ରେ ଚାଲିଚାଲି ଯାଉଥିବ‌ା ବେଳେ ହଠାତ୍‌ ଏକ ବାଇକ୍‌ ସେମାନଙ୍କ ନିକଟରେ ରହିଥିଲା ଏବଂ ବାଇକ୍‌ରେ ଥିବା ଜଣେ ଯୁବକ ଝିଅଟିର ମୁହଁକୁ କିଛି ତରଳ ଜିନିଷ ଫୋପାଡ଼ିଥିଲା। ଏହାପରେ ଛାତ୍ରୀ ଜଣଙ୍କ ତାଙ୍କ ମୁ‌ହଁକୁ ଧରି ଦୌଡ଼ିଥିଲେ। ସେ ଅତ୍ୟଧିକ ଯନ୍ତ୍ରଣାରେ ଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଇତି ମଧ୍ୟରେ ଏନ୍‌ସିଡବ୍ଲ୍ୟୁ ଉକ୍ତ ଘଟଣାରେ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିସନ୍‌ର ଏକ ଟିମ୍‌ ହସ୍ପିଟାଲ୍‌ରେ ପହଞ୍ଚି ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି।