ବିଚାରପତିଙ୍କ ବିରୋଧରେ କହିବାରୁ ମାସକ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲ, ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ

ଲାହୋର: ଜଣେ ବିଚାରପତିଙ୍କ ବିରୋଧରେ କହିବା ଏକ ଟିଭି ଚ୍ୟାନେଲକୁ ମହଙ୍ଗା ସାବ୍ୟସ୍ତ ହୋଇଛି | ଏହି ଟିଭି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୧୦ ଲକ୍ଷ ଟଙ୍କାର ଜରିମାନା ପଇଠ କରିବାକୁ କୁହାଯାଇଛି | ପାକିସ୍ତାନରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଟିଭି ଚ୍ୟାନେଲର ନାମ ହେଉଛି ‘ବୋଲ ଟିଭି’ | ଜାନୁୟାରୀ ୧୩ ତାରିଖରେ ଲାହୋର ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବୋଲ ଟିଭିର ନ୍ୟୁଜ ଆଙ୍କର ସାମୀ ଇବ୍ରାହିମ କିଛି ତଥ୍ୟ ଉପସ୍ଥାପନ କରିବା ସହ ସରକାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |


ନ୍ୟୁଜ ଆଙ୍କର ଜଣକ ବିଚାରପତିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା | ଏହା ପରେ ପାକିସ୍ତାନର ମିଡ଼ିଆ ଅନୁଧ୍ୟାନ ସଂସ୍ଥା ପିଇଏମଆରଏ(ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି) କହିଥିଲା ଯେ ନ୍ୟୁଜ ଆଙ୍କର ଜଣକ ସମ୍ବିଧାନର ଅନୁଛେଦ ୬୮ ଓ ପିଇଏମଆରଏର ଆଚାର ସଂହିତା ୨୦୧୫ର ଅନୁଛେଦ ୨୯କୁ ଉଲ୍ଲଙ୍ଘନ କରିଥିଲେ |

ଆଉ ଏହା ପରେ ଏହି ଘଟଣାରେ ନ୍ୟୁଜ ଚ୍ୟାନେଲକୁ ନୋଟିସ ପଠାଯାଇଥିଲା ଓ କ୍ଷମା ମାଗିବାକୁ କୁହାଯାଇଥିଲା | ତେବେ ଚ୍ୟାନେଲ କର୍ତୃପକ୍ଷ କ୍ଷମା ମାଗିବାକୁ ମନା କରିବାରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି | କାର୍ଯ୍ୟନୁଷ୍ଠାନ ସ୍ୱରୂପ ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ ରଖିବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର