ଆସାମରେ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି: ୨୦୦୦ରୁ ଅଧିକ ଗିରଫ

ଗିରଫକୁ ବିରୋଧ କରି ମହିଳାଙ୍କ ଆନ୍ଦୋଳନ, ଅ‌ୱେସିଙ୍କ ପ୍ରଶ୍ନ: ପୀଡ଼ିତାଙ୍କ କଥା ବୁଝିବ କିଏ?

ଗୌହାଟୀ: ଆସାମ ସରକାର ରାଜ୍ୟରେ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଦୁଇ ଦିନ ମଧ୍ୟରେ ଆସାମରେ ୨୦୦୦ରୁ ଅଧିକ ଗିରଫ ହେଲେଣି। କିନ୍ତୁ ସବୁଠୁ ଚିନ୍ତାଜନକ ହେଉଛି ଗିରଫ ‌ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ଏବଂ ମା’ମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହିଳାମାନେ ସେମାନଙ୍କ ସ୍ବାମୀ ଏବଂ ପୁଅକୁ ଗିରଫ କରିବାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଧୁବ୍ରିରେ ଆଜି ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି। ତମରା ଥାନା ଆଗରେ ଆଜି ୧ ହଜାରରୁ ଅଧିକ ମହିଳା ରୁଣ୍ଡ ହୋଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁକ୍ତ କରିବାପାଇଁ ଦାବି କରିଥିଲେ। ତେବେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା।

ପରିବାରର ରୋଜଗାରିଆ ପୁଅ ଗିରଫ ହେଲେ ପରିବାର କିଭଳି ଚଳିବ ବୋଲି କହି ମହିଳାମାନେ ଆନ୍ଦୋଳନ କରିଛନ୍ତି। ଆସାମରେ ୨ ଦିନ ମଧ୍ୟରେ ୨୦୦୦ରୁ ଅଧିକ ଲୋକ ଗିରଫ ହେଲେଣି। ୪,୦୦୪ ମାମଲା ରୁଜୁ ହୋଇଛି। ପୁଲିସ ଅନୁଯାୟୀ ସେମାନଙ୍କ ନିକଟରେ ୮ ହଜାର ଅଭିଯୁକ୍ତଙ୍କର ଏକ ତାଲିକା ରହିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ପୁଲିସ ମଧ୍ୟ ଉକ୍ତ ବିବାହ କରାଇଥିବା ୫୧ ପୁରୋହିତ ଏବଂ କାଜିଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ପୁରୁଷମାନଙ୍କୁ ଗିରଫ କରାଯାଉଥିବାରୁ ସେମାନଙ୍କ ପତ୍ନୀମାନେ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ କଥା ବୁଝିବ କିଏ ବୋଲି ଅୱେସି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର