ନକଲି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୧୮ଟି କଂପାନିର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ : ନକଲି ଔଷଧ ପ୍ରସ୍ତୁତିକୁ ନେଇ ବିଶ୍ବ ଦରବାରରେ ନିନ୍ଦିତ ହେବା ପରେ ଏଭଳି କାର୍ଯ୍ୟରେ ଲିପ୍ତ ଥିବା କଂପାନିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତୀୟ ଔଷଧ ମହାନିର୍ଦେଶାଳୟ (ଡିସିଜିଆଇ) ପକ୍ଷରୁ ୧୮ଟି ଔଷଧ କଂପାନିର ଲାଇସେନ୍ସ ରଦ୍ଦ କରାଯାଇଛି। ଯାଞ୍ଚ ବେଳେ ଏହି କଂପାନିଗୁଡ଼ିକ ନକଲି ଔଷଧ ପ୍ରସ୍ତୁତ କରୁଥିବାର ପ୍ରମାଣ ମିଳିଥିଲା। ସେହି ଆଧାରରେ ଡିସିଜିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଡିସିଜିଆଇ ପକ୍ଷରୁ ୨୦ଟି ରାଜ୍ୟରେ ଥିବା ୭୬ଟି ଔଷଧ କଂପାନିର ଯାଞ୍ଚ କରାଯାଇଥିଲା। ତେବେ କେଉଁ କଂପାନିଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନକଲି ଓ ଅପମିଶ୍ରିତ ଔଷଧ ପ୍ରସ୍ତୁତ କରୁଥିବା ୧୮ଟି କଂପାନିର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ଅନ୍ୟ ୨୬ଟି କଂପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଔଷଧ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଆଇ ନକଲି ଔଷଧ ବିରୋଧରେ ଅଭିଯାନ ଆରମ୍ଭ କରି ୨୦୩ଟି କଂପାନିକୁ ଚିହ୍ନଟ କରିଛି। ସେଥି ମଧ୍ୟରୁ ପ୍ରାୟ ୭୦ଟି କଂପାନି ହିମାଚଳପ୍ରଦେଶରେ ଥିବା ବେଳେ ୪୫ଟି ଉତ୍ତରାଖଣ୍ଡ ଓ ୨୩ଟି ମଧ୍ୟପ୍ରଦେଶରେ ରହିଛି। ଭାରତରେ ତିଆରି କଫ ସିରିପ ପାଇଁ ଗାମ୍ବିଆ ଓ ଉଜବେକିସ୍ତାନରେ ଶିଶୁ ମୃତ୍ୟୁ ଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା।

ସେହିପରି, ତାମିଲନାଡୁର କଂପାନି ଗ୍ଲୋବାଲ୍ ଫାର୍ମା ହେଲ୍‌ଥକେୟାର ପ୍ରସ୍ତୁତ କରିଥିବା ଆଇ ଡ୍ରପ୍ ପ୍ରଭାବରେ ଆମେରିକାରେ କିଛି ଲୋକ ଦୃଷ୍ଟି ଶକ୍ତି ହରାଇବା ଅଭିଯୋଗ ହେବା ପରେ କଂପାନି ଏହାର ସମସ୍ତ ଆଇ ଡ୍ରପ୍‌କୁ ବଜାରରୁ ପ୍ରତ୍ୟାହାର କରିଥିଲା। ଗତ ଫେବ୍ରୁଆରିରେ ଜାଇଡସ୍‌ ଫାର୍ମା ଆମେରିକାରୁ ୫୫,୦୦୦ ବୋତଲ ଜେନେରିକ୍ ଔଷଧ ପ୍ରତ୍ୟାହାର କରିଥିଲା। ଅପମିଶ୍ରତି ଔଷଧ ତିଆରି କରୁଥିବା ଅଭିଯୋଗରେ ୨୦୨୨ ଡିସେମ୍ବରରେ ମାରିଅନ୍ ବାୟୋଟେକ୍‌ର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଏଡା ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର