ନୂଆଦିଲ୍ଲୀ: ଲଦାଖର ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅନୁଷ୍ଠାନ ଦ୍ୱାରା ବିଦେଶୀ ପାଣ୍ଠି ଆଇନର ବ୍ୟାପକ ଉଲ୍ଲଂଘନ ଅଭିଯୋଗ ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏ ନେଇ ତଦନ୍ତ ତ୍ବରାନ୍ବିତ କରିଥିବା ବେଳେ ସୋନମ ୱାଙ୍ଗଚୁକ୍ଙ୍କ ସଂଗଠନର ଏଫ୍ସିଆରଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ) ଲାଇସେନ୍ସ ରଦ୍ଦ ହୋଇଛି। କେନ୍ଦ୍ର ସରକାର ୱାଙ୍ଗଚୁକ୍ଙ୍କ ଅନୁଷ୍ଠାନର ଏଫ୍ସିଆରଏ ଲାଇସେନ୍ସ ରଦ୍ଦ କରାଯାଇଥିବା ଗୃହ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ୨୦ ଅଗଷ୍ଟ ୨୦୨୫ରେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା ଏବଂ ସେପ୍ଟେମ୍ବର ୧୦ରେ ଇ-ମେଲ ମାଧ୍ୟମରେ ଉତ୍ତର ମଗାଯାଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୱାଙ୍ଗଚୁକ୍ ଏବଂ ତାଙ୍କ ସଂସ୍ଥା ସହ ଜଡ଼ିତ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଗୁପ୍ତ ରଖାଯାଇଛି। ୭ଟି ଏଚ୍ଆଇଏଏଲ୍ ଆକାଉଣ୍ଟ ମଧ୍ୟରୁ ୪ଟି ଘୋଷଣା କରାଯାଇ ନାହିଁ। ଗତ ବର୍ଷ ୬ କୋଟି ଟଙ୍କାର ଦାନ ମିଳିଥିବା ବେଳେ ଏଥର ତାହା ୧୫ କୋଟିରେ ପହଞ୍ଚିଛି। ଏଥିମଧ୍ୟରୁ ୧.୫ କୋଟିରୁ ଅଧିକ ବିଦେଶୀ ଅର୍ଥ ଏଫ୍ସିଆରଏ ପଞ୍ଜୀକରଣ ବିନା ଆସିଛି।
ସାମନାକୁ ଆସିଲା ଗୁପ୍ତ ଆକାଉଣ୍ଟ
ବର୍ଷକ ମଧ୍ୟରେ ଚାନ୍ଦା ୬ କୋଟିରୁ ୧୫ କୋଟିରେ ପହଞ୍ଚିଛି
ବୁଧବାର ଲଦାଖରେ ହିଂସା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଏହି ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି। ସେପ୍ଟେମ୍ବର ୧୦ରେ ସୋନମ୍ ୱାଙ୍ଗଚୁକ୍ ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଦାବି କରି ଅନଶନ ଆରମ୍ଭ କରିଥିଲେ। ଆରବ ବିଦ୍ରୋହ ଶୈଳୀର ବିକ୍ଷୋଭ ଓ ନେପାଳର ‘ଜେନ୍ ଜେଡ୍’ ବିକ୍ଷୋଭ ବିଷୟରେ ଉଲ୍ଲେଖ କରି ଲୋକଙ୍କୁ ମତେଇଥିଲେ। ଉତ୍ତ୍ୟକ୍ତ ଜନତା ପୋଡ଼ାଜଳା କରିବା ହିଂସାକାଣ୍ଡ ଭିଆଇଥିଲେ। ଯେଉଁଥିରେ ୩୦ରୁ ଅଧିକ ପୁଲିସ ଓ ସିଆର୍ପିଏଫ୍ ଯବାନ ଆହତ ହୋଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।