ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର; ଦିଲ୍ଲୀ ପୁଲିସକୁ କହିଲେ ଗୃହମନ୍ତ୍ରୀ ଶାହ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଏହାଛଡ଼ା, ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି। ତେବେ ହିଂସା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁଥିବା ବେଳେ ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଆଜି ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ବିଷୟରେ ପଚାରିବୁଝିବା ସହ ଯିଏ ଏଭଳି ହିଂସା ସୃଷ୍ଟି କରିଛି, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଛନ୍ତି ଶାହ। ଅନ୍ୟପକ୍ଷରେ ହିଂସା ସମୟରେ ଗୁଳି ଚଳାଇଥିବା ଅଭିଯୁକ୍ତ ସୋନୁ ଶେଖକୁ ଗିରଫ କରିଛି ପୁଲିସ।

theprint

ସୋନୁ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅନସାର ଶେଖ ପଶ୍ଚିମବଙ୍ଗର ହଲଦିଆର ବାସିନ୍ଦା। ପ୍ରାୟ ୧୨ବର୍ଷ ପୂର୍ବେ ସେମାନେ ଦିଲ୍ଲୀ ଆସିଥିଲେ। ସେମାନେ ପଶ୍ଚମବଙ୍ଗରେ ରହୁଥିବା ସମୟରେ ବହୁତ ପ୍ରଭାବଶାଳୀ ଥିଲେ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ସୋନୁଙ୍କ ମା’ କହିଛନ୍ତି, ସୋନୁ କ୍ରୋଧିତ ହୋଇ ପିସ୍ତଲଟିକୁ କାହାଠାରୁ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ସେ ଚଳାଇଥିବା ଗୁଳିରେ କେହି ଆହତ ହୋଇନାହାନ୍ତି। ସୋନୁଙ୍କ ମା’ଙ୍କ ଅନୁଯାୟୀ ହିନ୍ଦୁ-ମୁସଲମାନ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ମୋ ପୁଅ ରୋଜା ଭାଙ୍ଗିବାକୁ ଯାଉଥିଲା। ଏହି ସମୟରେ ଝଗଡ଼ାକୁ ଦେଖି ରାଗରେ ସେ ଅନ୍ୟ କାହାଠାରୁ ପିସ୍ତଲକୁ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ହେଲେ ସେ ଚଳାଇଥିବା ଗୁଳିରେ କେହି ଆହତ ହୋଇ ନଥିଲେ।

ସମ୍ବନ୍ଧିତ ଖବର