ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଲୋକସଭା ସଚିବାଳୟ ୮ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରିଛି। ପ୍ରାରମ୍ଭିକ ତଦନ୍ତ ଆଧାରରେ ଉକ୍ତ ନିଲମ୍ବନ ଆଦେଶ ଦିଆଯାଇଛି। ସାଗର ଶର୍ମା (୨୭) ଏବଂ ମନୋରଂଜନ ଡି (୩୪) ଗ୍ୟାସ କାନିଷ୍ଟରକୁ ସେମାନଙ୍କ ଜୋତାରେ ଲୁଚାଇ ନେବାକୁ ସକ୍ଷମ ହୋଇଥିଲେ, ଅର୍ଥାତ୍ ସେମାନଙ୍କୁ ଠିକ୍ ଭାବେ ଯାଞ୍ଚ କରାଯାଇ ନାହିଁ। ଶର୍ମା ଏବଂ ମୋହନ ହଳଦିଆ ଧୂଆଁ ସାଂସଦଙ୍କ ସାମ୍ନାରେ ଛାଡ଼ିଥିଲେ। ସେମାନଙ୍କୁ ସୁରକ୍ଷା କର୍ମୀମାନେ କବ୍ଜାକୁ ନେବା ସହିତ ବାହାରକୁ ବାହାର କରିଥିଲେ। ସଂସଦ ବାହାରେ ନିଲମ ସିଂହ (୩୭) ଏବଂ ଅମୋଲ ଶିନ୍ଦେ (୨୪) ଭାରତ ମାତା କୀ ଜୟ ଏବଂ ଜୟ ଭିମ ସ୍ଲୋଗାନ ଦେଇଥିଲେ। ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଅଧୀନରେ ମାମଲା ରୁଜୁ ହୋଇଛି।
ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଏବଂ ଅନ୍ୟ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସେମାନଙ୍କୁ ପଚରାଉଚରା କରୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆର୍ପିଏଫ ମୁଖ୍ୟ ଅନିଶ ଦୟାଲ ସିଂହଙ୍କ ନେତୃତ୍ବରେ ସୁରକ୍ଷା ଭଙ୍ଗ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସିଂହଙ୍କ ନେତୃତ୍ବରେ ଗଠିତ କମିଟି ତ୍ରୁଟି ଏବଂ ଆକ୍ରମଣକୁ ରୋକିବା ପାଇଁ କି ପଦକ୍ଷେପ ନିଆଯିବ ସେ ନେଇ ସୁପାରିସ କରିବ। ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଇ-ରିକ୍ସା ଚାଳକ, ଜଣେ କୃଷକ, ଜଣେ ସରକାରୀ ଚାକିରି ଆଶାୟୀ ଏବଂ ଜଣେ ଦିନ ମଜୁରିଆ। ଏମାନଙ୍କ ସହିତ ଲଳିତ ଝା ନାମକ ଅନ୍ୟ ଜଣେ ଅଭିଯୁକ୍ତ ଏବେ ଫେରାର ଅଛି।