୨୬ ଦିନ ଧରି ସକ୍ରିୟ ମାମଲା ୩% ତଳେ: ଦ୍ବିତୀୟ ଲହରରେ ମୃତ୍ୟୁହାର ୧.୨୮%, ପ୍ରଥମ ଲହର ତୁଳନାରେ ମୃତ୍ୟୁହାର କମ୍‌

ଚିନ୍ତା ବଢ଼ାଇଲା କେରଳ ସଂକ୍ରମଣ, ଦୈନିକ ନୂଆ ମାମଲା ୧୬,୧୪୮

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୩୮,୦୭୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୩ କୋଟି ୧୦ ଲକ୍ଷ ଟପିଯାଇଛି। ଅନ୍ୟପ‌କ୍ଷେ ମୃତ୍ୟୁସଂଖ୍ୟା ୪,୧୩,୦୯୧ ରହିଛି। ଏଯାବତ ଦେଶରେ ମୋଟ୍‌ ୩,୦୨,୨୭,୭୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୯୭.୩୧ ପ୍ରତିଶତ ରହିଛି। ଦେଶରେ ମୃତ୍ୟୁହାର ଏବେ ୧.୩୩ ପ୍ରତିଶତ। ସକ୍ରିୟ ମାମଲା ୪ ଲକ୍ଷ ୨୫ ହଜାର ତଳକୁ ଖସି ଯାଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୪, ୨୪,୦୨୫ ଥିବା ବେଳେ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୩୬ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୧୦ ପ୍ରତିଶତ ରହିଛି।

ଦେଶରେ ମୋଟ୍‌ ୭ଟି ରାଜ୍ୟରେ ସଂକ୍ରମଣ ୩୦ ହଜାର ତଳେ ରହିଛି। ନାଗାଲାଣ୍ଡରେ ଜୁଲାଇ ୧୭ ସୁଦ୍ଧା ମୋଟ୍‌ ୨୬,୬୯୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଯାବତ ନାଗାଲାଣ୍ଡରେ ୨୦,୮୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମିଜୋରାମରେ ସଂକ୍ରମଣ ମାମଲା ୨୬,୪୭୬, ଉତ୍ତରପୂର୍ବ ରାଜ୍ୟ ସିକ୍କିମରେ ୨୩,୦୮୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୦,୪୪୧ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍‌ ୩୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ଲଦାଖରେ ମୋଟ୍‌ ସଂକ୍ରମଣ ମାମଲା ୨୦,୨୪୦, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ୍‌ ଏବଂ ଡିଉରେ ୧୦,୫୯୩, ଲାକ୍ଷାଦ୍ବୀପରେ ମୋଟ୍‌ ୧୦,୦୫୩ ରହିଥିବା ବେଳେ ଆଣ୍ଡାମାନ ଏବଂ ନିକୋବର ଆଇଲାଣ୍ଡ୍‌ରେ ସଂକ୍ରମଣ ୧୦ ହଜାର ତ‌ଳେ ରହିଛି।

ଦ୍ବିତୀୟ ଲହରରେ ମୃତ୍ୟୁହାର ୧.୨୮%, ପ୍ରଥମ ଲହର ତୁଳନାରେ ମୃତ୍ୟୁହାର କମ୍‌
ନୂଆଦିଲ୍ଲୀ : ଗତ କିଛି ମାସ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ବଢ଼ିଥିଲେ ସୁଦ୍ଧା ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ମୃତ୍ୟୁ ହାର କମ୍‌ ରହିଛି। ପ୍ରଥମ ଲହରରେ କରୋନା ମୃତ୍ୟୁହାର ୧.୪୧ ପ୍ରତିଶତ ଥିଲା। ତେବେ ମାର୍ଚ୍ଚ ୧ରୁ ଯଦି ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି ଧରାଯାଏ ତେବେ ଏହି ସାଢ଼େ ୪ ମାସ ମଧ୍ୟରେ କରୋନା ମୃତ୍ୟୁହାର ୧.୨୮ ପ୍ରତିଶତ ରହିଛି। ତେଣୁ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ମୃତ୍ୟୁହାର କମ୍‌ ରହିଛି। ତେବେ ଦେଶରେ ମୋଟ୍‌ ମୃତ୍ୟୁହାର ୧.୩୩ ପ୍ରତିଶତ। ଜୁଲାଇରେ ମୃତ୍ୟୁହାର ୨.୧୨ ପ୍ରତିଶତ ରହିଥିଲା ଏବଂ ଗତମାସରେ ୩.୦୭ ପ୍ରତିଶତ ଥିଲା। ଚଳିତ ମାସ ତୁଳନାରେ ଗତମାସରେ ମୃତ୍ୟୁହାର ଅଧିକ ଥିଲା। ତଥ୍ୟ ଅନୁଯାୟୀ ମାର୍ଚ୍ଚ ୧ ଠାରୁ ଏଯାବତ୍‌ ଦେଶରେ ୨,୫୫,୯୨୩ କରୋନା ମୃତ୍ୟୁ ହୋଇଛି।

ଚିନ୍ତା ବଢ଼ାଇଲା କେରଳ ସଂକ୍ରମଣ, ଦୈନିକ ନୂଆ ମାମଲା ୧୬,୧୪୮
ତିରୁଅନନ୍ତପୁରମ୍‌ : ଦେଶରେ ସଂକ୍ରମଣ କମୁଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ହୋଇଛି। କେରଳ ସଂକ୍ରମଣ ଅତ୍ୟଧିକ ଚିନ୍ତାଜନକ। ଗତ ୨୪ ଘଣ୍ଟାରେ କେରଳରେ ୧୬,୧୪୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ମୋଟ୍‌ ମୃତ୍ୟୁ ୧୫,୨୬୯ରେ ପହଞ୍ଚିଛି। ରାଜ୍ୟରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୦.୭୬ ପ୍ରତିଶତ ଥିବା ବେଳେ କୋଝିକୋଡ୍‌ରେ ଗତକାଲି ସର୍ବାଧିକ ୨୧୦୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତକାଲି ମଧ୍ୟ ରାଜ୍ୟରେ ସଂକ୍ରମଣ ମାମଲା ୧୩ ହଜାରରୁ ଅଧିକ ଥିଲା। ସଂକ୍ରମିତଙ୍କ ମଧ୍ୟରେ ୫୭ ଜଣ ସ୍ବାସ୍ଥ୍ୟକର୍ମୀ ଥିଲେ। ରାଜ୍ୟରେ ମୋଟ୍‌ ସକ୍ରିୟ ମାମଲା ଏବେ ୧,୨୪,୭୭୯ ଥିବା ବେଳେ ମୋଟ୍‌ ୩୦,୦୬,୪୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର