ନୂଆଦିଲ୍ଲୀ: ସୋମବାର ସକାଳେ ଭାରତରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୧ ଥିଲା ଏବଂ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ଟି ନୂଆ ମାମଲା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୦୩ଟି ନୂଆ ମାମଲା ପଞ୍ଜୀକୃତ ହୋଇଛି। ଦିଲ୍ଲୀରେ ଆଉ ଜଣେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୮୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସର୍ବାଧିକ ପ୍ରଭାବିତ ରାଜ୍ୟ କେରଳରେ ୧୪୩୫, ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ପଶ୍ଚିମବଙ୍ଗରେ ୩୩୯ ଓ ଗୁଜରାଟରେ ୩୩୮ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ବ୍ୟତୀତ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ଫୁସଫୁସ ଜନିତ ସମସ୍ୟା ଥିବା ବେଳେ ତାମିଲନାଡୁରେ ସମାନ ବ୍ରୋଙ୍କିଆଲ ସମସ୍ୟା ଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ମୃତକଙ୍କ ବିବରଣୀକୁ ଅପେକ୍ଷା କରାଯାଇଛି। 

Advertisment

କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କୋଭିଡ୍-୧୯ ସ୍ଥିତି ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଅଧିକାଂଶ ରୋଗୀ ଘରେ ଏକାନ୍ତବାସରେ ରହି ସୁସ୍ଥ ହେଉଥିବାରୁ ସଂକ୍ରମଣର ଗମ୍ଭୀରତା କମ୍ ରହିଛି। ସୋମବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳରୁ ଆସିଥିବା ନମୁନାର ଜିନୋମ୍ ସିକ୍ୱେନ୍ସିଂରୁ ଜଣାପଡିଛି ଯେ, ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟାଇଥିବା ଭାରିଆଣ୍ଟଗୁଡ଼ିକ ଓମିକ୍ରନ୍‌ର ଉପପ୍ରଜାତି ଏବଂ ଗୁରୁତର ରୋଗ ସହିତ ଜଡ଼ିତ ନୁହେଁ।