ନୂଆଦିଲ୍ଲୀ : ଦେଶର ସବୁ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ବଢ଼ୁଛି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୭,୮୩୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭ ମାସରେ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ୪୦,୨୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୬ ନୂଆ କରୋନା ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୦୧୬ରେ ପହଞ୍ଚିଛି। ଦିଲ୍ଲୀ, ପଂଜାବ ଏବଂ ହିମାଚଳପ୍ରଦେଶରେ ୨ଟି ଲେଖାଏଁ କରୋନା ମୃତ୍ୟୁ ହୋଇଥିବା ବେଳେ ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୫ଟି ମୃତ୍ୟୁକୁ ନୂଆ ତଥ୍ୟରେ ଯୋଡ଼ିଛି।
ଦେଶରେ ମୋଟ୍ ସଂକ୍ରମଣ ମାମଲା ୪,୪୭,୭୬,୦୦୨ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୯ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୨ ପ୍ରତିଶତ। ମୋଟ୍ ୪,୪୨,୦୪,୭୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଛି। ଦିଲ୍ଲୀରେ ଆଜି ୯୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ପଜିଟିଭ୍ ହାର ୨୫.୯୮ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ ପ୍ରତି ୪ ଜଣରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି।
୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୯ କରୋନା ମୃତ୍ୟୁ
ମୁମ୍ବାଇ : ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୯ଟି କରୋନା ମୃତ୍ୟୁ ହୋଇଛି। ଚଳିତ ବର୍ଷରେ ମହାରାଷ୍ଟ୍ରରେ ଏହା ସର୍ବାଧିକ କରୋନା ମୃତ୍ୟୁ। ରାଜ୍ୟରେ ମଧ୍ୟ ଆଜି ୧୧୧୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଏବେ ୫,୪୨୧ ସକ୍ରିୟ ମାମଲା ରହିଛି। ଓମିକ୍ରନ୍ ଉପପ୍ରଜାତି ଏକ୍ସବିବି.୧.୧୬ ପାଇଁ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।