ଦିଲ୍ଲୀରେ ଆଇଏସଆଇଏସର ସକ୍ରିୟ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଲାଲକିଲ୍ଲାରେ ସ୍ବାଧୀନତା ଦିବସ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ବାଟ୍‌ଲା ହାଉସ୍‌ରେ ଚଢ଼ଉ କରି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ମହସିନ ଅହମଦ। ଶନିବାର ମହସିନକୁ ଗିରଫ କରାଯାଇଛି ବୋଲି ରବିବାର ଏନଆଇଏ ସୂଚନା ଦେଇଛି। ମହସିନ ବିହାର ପାଟନାର ବାସିନ୍ଦା। ଭାରତ ଏବଂ ବିଦେଶରେ ଥିବା ଆଇଏସଆଇଏସର ସମର୍ଥକଙ୍କ ଠାରୁ ସେ ଚାନ୍ଦା ଆନ୍ଦାୟ କରୁଥିଲା। ଉକ୍ତ ଚାନ୍ଦା ରାଶିକୁ ସେ ସିରିୟା ସମେତ ବିଶ୍ବର ଅନ୍ୟାନ୍ୟ ସ୍ଥାନକୁ କ୍ରିପ୍ଟୋକରେନ୍ସି ଆକାରରେ ପଠାଉଥିଲା। ସେଠାରେ ଗତକାଲି ଏନଆଇଏ ଚଢ଼ଉ କରିବା ପରେ ତାକୁ ଗିରଫ କରିଛି। ଏହି ମାମଲାରେ ସିଆଇଏ ନିଜଆଡ଼ୁ ଗତ ଜୁନ ୨୫ରେ ଏକ ମାମଲା ରୁଜୁ କରିଛି। ଏନଆଇଏ ଏହାର ଅଧିକ ଖୋଳତାଡ଼ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଆଇଏସଆଇଏସକୁ ଆତଙ୍କବାଦୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ଏନଆଇଏ କିଛିଦିନ ପୂର୍ବରୁ କର୍ଣ୍ଣାଟକରେ ୩ ଜଣଙ୍କୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର