ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ

ନୂଅରଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ହଜାର୮୫୦ରେ ପହଁଚିଛି । ଏଥିସହ ୮୩ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ହଜାର ୩୬୮ରେ ଥିବା ବେଳେ ୧ କୋଟି ୬ଲକ୍ଷ ୯୯ ହଜାର ୪୧୦ଜଣ ସୁସ୍ଥ ହୋଇଛନ୍ତି ।

ଫେବ୍ରୁଆରୀ ୨୦ ତାରିଖରେ ୧୩୯୯୩ ସଂକ୍ରମିତ
ଫେବ୍ରୁଆରୀ ୨୧ ତାରିଖରେ ୧୪୨୬୪ ସଂକ୍ରମିତ
ଫେବ୍ରୁଆରୀ ୨୨ ତାରିଖରେ ୧୪୧୯୯ ସଂକ୍ରମିତ

ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ଗୁଡିକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ସହ ସଂକ୍ରମଣ ବଢୁଥିବା ଅଂଚଳ ଗୁଡିକରେ ସର୍ଭିଲାନ୍ସ ଓ କଂଟେନମେଂଟ ନୀତି ଆପଣାନ୍ତୁ ବୋଲି ସରକାର କହିଛନ୍ତି ।

ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଛତିଶଗଡରେ ଯେଭଳି ଦ୍ରୁତ ସଂକ୍ରମଣ ଚାଲିଛି ସେଥିରୁ ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ନେଇ ସନ୍ଦେହ ବଢିବାରେ ଲାଗିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲାରୁ କେବଳ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରରୁ ଆସୁଛି ।

ମହାରାଷ୍ଟ୍ରର ସ୍ଥିତି ସବୁଠୁ ଅଧିକ ଉଦବେଗଜନକ ରହିଛି । ରାଜ୍ୟରେ ୬ରୁ ୧୨ ଫେବ୍ରୁଆରୀ ମଧ୍ୟରେ ୨୦ ହଜାର ୫୯୦ ମାମଲା ଆସିଛି । ଏହା ସହ ଗତ ୨୪ଘଂଟାରେ ମହାରାଷ୍ଟ୍ରରେ ୬ହଜାର ୯୭୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଲକ୍ଷ ୮୮୪ରେ ପହଂଚିଛି । ସବୁଠାରୁ ଅଧିକ ସହଂକ୍ରମିତ ଚିହ୍ନଟ ହୋଇଥିବା ଅମରାବତୀ ଓ ଅଚଳପୁରରେ ସୋମବାର ମଧ୍ୟ ରାତ୍ରରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ପୁଣେରେ ମଧ୍ୟ ଆଜିଠୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ କରାଯାଇଛି । ସେପଟେ କେରଳରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି କର୍ଣ୍ଣାଟକ, କେରଳ ସୀମାକୁ ବନ୍ଦ କରିଦିଆଯାଇଛି ।

ଦେଶରେ ଜାନୁଆରୀ ୨୯ ତାରିଖରେ ୧୮ ହଜାର ୮୫୫ ସଂକ୍ରମଣ ମାମଲା ଆସିଥିଲା । ଏହାପରେ ନିୟମିତ ମାମଲାରେ ହ୍ରାସ ଦେଖା ଦେଇଥିଲା । ଦେଶରେ କରୋନା ଟିକାକରଣ ଜୋରଦାର ହୋଇଥିବାରୁ ଭୂତାଣୁ ନିୟନ୍ତ୍ରଣକୁ ଚାଲିଆସିଥିବା ଅନୁମାନ କରାଯାଉଥିଲା । କିନ୍ତୁ ଗତ ଗୋଟିଏ ସପ୍ତାହରେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି ।

ସମ୍ବନ୍ଧିତ ଖବର