ଫେସବୁକ୍‌ରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ମହିଳା ସାମାଜିକ କର୍ମୀ ରେହେନା ଫତିମା

ଥିରୁବନ୍ତପୁରମ୍‌ (କେରଳ): କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ଗତ ମାସରେ ତିନି ତିନି ଥର ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ମହିଳା ସାମାଜିକ କର୍ମୀ ରେହେନା ଫତିମାଙ୍କୁ ଆଜି କେରଳ ପୁଲିସ୍‌ ଗିରଫ କରିଛି। ସୋସିଆଲ ମିଡିଆରେ କିଛି ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ସହ ଫଟୋ ପୋଷ୍ଟ କରିବା ଅପରାଧରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ବିଏସ୍‌ଏନ୍‌ଏଲ୍‌ରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷ ବୟସ୍କା ଫତିମାଙ୍କୁ ପୁଲିସ୍‌ ଆଜି ତାଙ୍କ କୋଚି ସ୍ଥିତ ପାଲିରିଭାତ୍ତୋମ କାର୍ଯ୍ୟାଳୟରୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ସବରିମାଲା ମନ୍ଦିର ମଧ୍ୟକୁ ଗତ ମାସରେ ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ଫତିମା ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ କରିଥିବା କିଛି ମନ୍ତବ୍ୟ ଓ ଫଟୋ ପୋଷ୍ଟ କରିଥିଲେ। ତେବେ ଫାତିମାଙ୍କ ଫେସ୍‌ବୁକ ପୋଷ୍ଟିଂଗୁଡ଼ିକ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଥିବା ଦର୍ଶାଇ ରାମକୃଷ୍ଣ ମିଶନ ପକ୍ଷରୁ ତାଙ୍କ ବିରୋଧରେ ଏକ ମାମଲା ଥାନାରେ ଆଗତ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ଫାତିମାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୨୯୫ଏ ଦଫାରେ ଏକ ମାମଲା ରୁଜ୍ଜୁ କରିବା ସହ ଆଜି ଅପରାହ୍ଣରେ ତାଙ୍କୁ ଗିରଫ କରିବା ସହ ଜେରା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର