ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ କ୍ଲିନ୍ଚିଟ୍ ଦିଆଯିବା ପରେ ମଙ୍ଗଳବାର କେତେକ ମହିଳା ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ବହୁ ସଂଖ୍ୟକ ଆଇନଜୀବୀ ମଧ୍ୟ ସାମିଲ ହୋଇଛନ୍ତି।
ଆଜି ସୁପ୍ରିମକୋର୍ଟ ସାମ୍ନାରେ ମହିଳା ଅଧିକାର ସୁରକ୍ଷା କର୍ମୀ ଓ ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ଇନ୍ହାଉସ କମିଟି ମୁଖ୍ୟ ବିଚାରପତିଙ୍କୁ ଦେଇଥିବା କ୍ଲିନ୍ଚିଟ୍ରେ ଅସନ୍ତୋଷ ବ୍ୟକ୍ତ କରି ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡାଇବା ସହ କେତେକଙ୍କୁ ଅଟକ ରଖିଥିଲା। ଏପରିକି ଘଟଣାର ରିପୋର୍ଟ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ନୂଆଦିଲ୍ଲୀର ମନ୍ଦିର ମାର୍ଗ ପୁଲିସ୍ ଷ୍ଟେସନରେ ୩୦ ଜଣ ମହିଳା କର୍ମୀଙ୍କୁ ଅଟକ ରଖିଛି ପୁଲିସ। ପରିସ୍ଥିତିକୁ ସୁଧାରିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଭାବେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ପୁଲିସ।
ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏସ୍.ଏ.ବଦ୍ଦେଙ୍କ ନେତୃତ୍ୱରେ ଗଠିତ ଇନ୍ହାଉସ କମିଟି ମୁଖ୍ୟ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତ କରିଥିଲା। ମାତ୍ର ଯେଉଁ ପ୍ରକ୍ରିୟାରେ ବଦ୍ଦେ କମିଟି ଏହାର ତଦନ୍ତ କଲେ ତାହାକୁ କେତେକ ଆଇନଜୀବୀ ଓ ମହିଳା ଅଧିକାର ସୁରକ୍ଷା କର୍ମୀ ବିରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/supreme-court.jpeg)