ଚେନ୍ନାଇ: ଅସୁବିଧା ବେଳେ ଦଳର ନେତାମାନଙ୍କଠାରୁ ସହଯୋଗ ମିଳୁ ନ ଥିବା କହି ପ୍ରଖ୍ୟାତ ଭାରତୀୟ ଅଭିନେତ୍ରୀ ତଥା ଦୀର୍ଘ ଦିନ ହେବ ‘ବିଜେପି’ର ସଦସ୍ୟା ଥିବା ଗୌତମୀ ତଡ଼ିମଲ୍ଲା ଆଜି ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

Advertisment

ବ୍ୟକ୍ତିଗତ ଅସୁବିଧାରେ ପଡ଼ିଥିବା ବେଳେ ଦଳର ନେତାମାନେ ତାଙ୍କୁ ସହଯୋଗ କରୁ ନ ଥିବା କଥା ଅକ୍ଟୋବର ୨୩ ତାରିଖ ବୋଲି ଉଲ୍ଲେଖ କରାଯାଇଥିବା ଏକ ‘ଲେଟର୍‌‌ ହେଡ୍‌’ରେ ତଡ଼ିମଲ୍ଲା ଲେଖିଥିବା ଚିଠିରେ ବିସ୍ମୟ ପ୍ରକାଶ କରିଛନ୍ତି।

୨୫ ବର୍ଷ ତଳେ ‘ବିଜେପି’ରେ ଯୋଗ ଦେଇଥିବା ତଡ଼ିମଲ୍ଲା ଉକ୍ତ ପତ୍ରରେ ଲେଖିଛନ୍ତି ଯେ, ସେ ଜୀବନର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଉପନୀତ ହୋଇଛନ୍ତି। କିନ୍ତୁ, ଦଳ ଓ ଦଳୀୟ ନେତାଙ୍କ ପାଖରୁ ଆଶନୁରୂପ ସହାୟତା ମିଳୁନାହିଁ। ସେ ଅଭିଯୋଗ କରିଛନ୍ତି ଯେ, ଓଲଟି ତାଙ୍କ ପ୍ରତି ବିଶ୍ବାସଘାତକତା କରି ତାଙ୍କ ଜୀବନବ୍ୟାପୀ ଉପାର୍ଜିତ ଧନ ଠକି ନେଇଥିବା ବ୍ୟକ୍ତିଙ୍କୁ ଦଳର କେତେକ ସଦସ୍ୟ ସମର୍ଥନ କରୁଛନ୍ତି।

publive-image Image Courtesy of LatestLY

ସେ କହିଛନ୍ତି, ମୁଁ ଓ ମ‌ୋ ଝିଅ ସ୍ଥାୟୀ, ନିରପଦ ଓ ନିଶ୍ଚିନ୍ତରେ ରହିବାକୁ ଯାଉଥିବା ବେଳେ ସି. ଆଲ୍‌ଗାପାନ୍‌ ମୋର ଅର୍ଥ, ସମ୍ପତ୍ତି ଓ ଦଲିଲ ଆଦି ନେଇ ଠକି ନେଇ ଯାଇଥିବା କଥା ଜାଣି ଆତଙ୍କିତ ‌ହୋଇପଡ଼ିଛି।

୨୦ ବର୍ଷ ପୂର୍ବେ ମୋ ଅସହାୟତା ଦେଖି ଆଲ୍‌ଗାପାନ ମୋ ନିକଟରେ ପହଞ୍ଚିଥିଲେ। ସେତେବେଳେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଥିଲି। ଏଣେ ମୋ କୋଳରେ ଥାଏ ଟିକି ଝିଅଟିଏ। ସେତେବେଳେ ମୁଁ ଥିଲି ଜଣେ ‘ସିଙ୍ଗଲ୍‌ ମଦର୍‌’ (ଏକାକିନୀ ମାଆ)। ଜଣେ ଅଭିଭାବକ ଭଳି ସେ ଓ ତାଙ୍କ ପରିବାର ଲୋକେ ମୋ ପ୍ରତି ସହାୟତାର ଛଳନା କଲେ। ସେ ଭଳି ପରିସ୍ଥିତିରେ ମୁଁ ମୁଁ ମୋର କେତେକ ଜମିବାଡ଼ି ବିକ୍ରୟ କରିବାକୁ ଆଉ କିଛି ଜମିବାଡ଼ି ରଖିବାକୁ ତାଙ୍କୁ ଦଲିଲପତ୍ର ଦେଇଥିଲି। ଏବେ ଜାଣିଲି ମତେ ଠକି ସେ ଦଲିଲ୍‌ ସବୁ ନିଜ ନାଁରେ କରାଇ ନେଇଛନ୍ତି।

ପ୍ରତିକାର ଲାଗି ଆଇନର ଆଶ୍ରୟ ନେଇ ଅନେକ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନାହିଁ। ତଥାପି ମୋର ଆଶା, ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, ପୁଲିସ ବିଭାଗ ଓ ନ୍ୟାୟାଳୟ ମୋ ପ୍ରତି ବିଚାର କରିବେ। ବଡ଼ ଦୁଃଖ ଓ କଷ୍ଟରେ ଆଜି ମୁଁ ଏ ଇସ୍ତଫା ପତ୍ର ଲେଖୁଛି।