ଲସ୍ ଏଞ୍ଜେଲେସ୍: ନୂଆବର୍ଷ ଦିନ ନେଭାଡାସ୍ଥିତ ବାସଭବନ ପରିସରରେ ନିଜସ୍ବ ‘ସ୍ନୋ ପ୍ଲୋ’ (ବରଫ ସଫେଇ ଗାଡ଼ି) ଚଢ଼ି ଯିବାରୁ ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗି ଯାଇଥିବା କଥା ‘ମାର୍ଭେଲ୍ ୟୁନିଭର୍ସ ଫିଲ୍ମ୍ସ୍’ର ଚଳଚ୍ଚିତ୍ର ‘ହକ୍ଆଇ’ ପାଇଁ ସୁପରିଚିତ ଅଭିନେତା ଜେରମି ରେନର୍ ଶନିବାର ଦିନ କହିଛନ୍ତି।
ବାସଭବନର ‘ଡ୍ରାଇଭ୍ୱେ’ରୁ ବରଫ ସଫେଇ କରୁଥିବା ବେଳେ ପ୍ରାୟ ୬ ଟନ୍ ଓଜନର ଉକ୍ତ ପ୍ରକାଣ୍ଡ ଯାନ ‘ପିଷ୍ଟେନ୍ବୁଲି’ ଅଥବା ‘ସ୍ନୋକ୍ୟାଟ୍’ ତାଙ୍କ ଉପରେ ମାଡ଼ିଯିବାରୁ ଡାକ୍ତରଖାନାରେ ୨ ସପ୍ତାହରୁ ଅଧିକ ଦିନ ବିତାଇଲେଣି ବୋଲି ସେ କହିଛନ୍ତି।
ଆଶ୍ବାସନା ବାର୍ତ୍ତା ଦେଇଥିବା ପ୍ରଶଂସକମାନଙ୍କୁ କୃତଜ୍ଞତା ଜ୍ଞାପନପୂର୍ବକ ‘ଇନ୍ଷ୍ଟାଗ୍ରାମ୍’ରେ ୫୨ ବର୍ଷିୟ ରେନର୍ ଲେଖିଛନ୍ତି, ପରିବାର ଓ ବନ୍ଧୁବର୍ଗଙ୍କ ସହିତ ସେହ୍ନ ଓ ବନ୍ଧନ ନିବିଡ଼ ହେବା ପରି ୩୦ରୁ ଊର୍ଦ୍ଧ୍ବ ହାଡ଼ ଯୋଡ଼ି ହୋଇ ଟାଣ ହେବ।
ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ବେଳେର ଗୋଟାଏ ଫଟୋ ମଧ୍ୟ ସେ ସେୟାର୍ କରିଛନ୍ତି। ଫଟୋରେ ଦେଖାଯାଉଛି ସେ ହାତ ଦୁଇଟିକୁ ଛାତିରେ ଚାପି ରଖିଥିବା ବେଳେ ଆଣ୍ଠୁ ପାଖରୁ ମୋଡ଼ି ହୋଇଯାଇଥିବା ତାଙ୍କ ଗୋଡ଼କୁ ଜଣେ ବ୍ୟକ୍ତି ଉଠାଇ ଧରିଛନ୍ତି।
‘ଆଭେଞ୍ଜର୍ସ’ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଥିବା ରେନର୍ ଆହୁରି ମଧ୍ୟ ଲେଖିଛନ୍ତି, ଚଳିତ ନବବର୍ଷରେ ସକାଳର କସରତ, ନିଷ୍ପତ୍ତି, ସବୁକିଛି ବଦଳିଗଲା।
ସୂଚନାଯୋଗ୍ୟ, ଚଳନ୍ତା ‘ସ୍ନୋ ପ୍ଲ’କୁ ବନ୍ଦ କରିବା ପାଇଁ ତା’ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ରେନର୍ ଆହତ ହୋଇଥିଲେ। ହେଲିକପ୍ଟର୍ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ପରେ ହସ୍ପିଟାଲ୍ ବେଡ୍ରେ ପଡ଼ି ସେ ଉଠାଇଥିବା ସେଲ୍ଫିରେ ଦେଖାଯାଉଥିଲା ତାଙ୍କ ମୁହଁ ଖଣ୍ଡିଆଖାବରା ହୋଇଯାଇଥିବା ଦୃଶ୍ୟ।