ସଡ଼କ ଦୁର୍ଘଟଣାରେ ଏନ୍‌. ଟି. ରାମାରାଓଙ୍କ ପୁତ୍ର ନନ୍ଦମୁରି ହରିକୃଷ୍ଣଙ୍କ ଦେହାନ୍ତ

ହାଇଦ୍ରାବାଦ: ସଡ଼କ ଦୁର୍ଘଟନାରେ ସାଙ୍ଘାତିକ ଆହତ ହୋଇଥିବା ତେଲୁଗୁ ଅଭିନେତା ଏବଂ ତେଲୁଗୁ ଦେଶମ୍‌ ପାର୍ଟିର ନେତା ନନ୍ଦମୁରି ହରିକୃଷ୍ଣଙ୍କର ବୁଧବାର ସକାଳେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ହାଇଦ୍ରାବାଦ ଠାରୁ ୧୦୦ କିଲୋମିଟର ଦୂର ନାଳଗୋନ୍ଦା ଜିଲ୍ଲା ଅନ୍ତର୍ଗତ ନାର୍କେତ୍‌ପଲ୍ଲୀ-ଆଡ୍ଡାଙ୍କି ଜାତୀୟ ରାଜପଥରେ ଦୁର୍ଘଟନା ଘଟିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ଖବର ଅନୁସାରେ, ସେ ନେଲ୍ଲୋରରୁ ହାଇଦ୍ରାବାଦ ଫେରୁଥିବା କାର୍‌ଟି ଓଲଟି ପଡ଼ିଥିଲା। ବୁଧବାର ପ୍ରତ୍ୟୁଷରେ ରକ୍ତ ଜୁଡୁବୁଡୁ ଜାମା ପିନ୍ଧି ରାସ୍ତାକଡ଼ରେ ଥିବା ଆହତ ନେତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେ ନିଜେ କାର୍‌ ଚଳାଉଥିଲେ।

ହରିକୃଷ୍ଣ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ସଂସ୍ଥାପକ ଏନ୍‌. ଟି. ରାମାରାଓଙ୍କ ପୁତ୍ର। ବର୍ତ୍ତମାନ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିବା ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ତାଙ୍କ ଭିଣୋଇ।

ହରିକୃଷ୍ଣଙ୍କର ପୁତ୍ର କନିଷ୍ଠ ଏନଟିଆର୍‌ ଏବଂ କଲ୍ୟାଣ ରାମ ହେଉଛନ୍ତି ଜନପ୍ରିୟ ତେଲୁଗୁ ଅଭିନେତା। ଯୋଗକୁ ୨୦୧୪ରେ ହରିକୃଷ୍ଣଙ୍କର ଅନ୍ୟ ଜଣେ ପୁଅ ନନ୍ଦମୁରି ଜାନକିରାମ ମଧ୍ୟ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କନିଷ୍ଠ ଏନ୍‌ଟିଆର୍‌ ମଧ୍ୟ ୨୦୧୯ ସଡ଼କ ଦୁର୍ଘଟନାରେ ଆହତ ହୋଇଥିଲେ।

୧୯୬୪ ମସିହାରେ ‘ଶ୍ରୀକୃଷ୍ଣବଟରାମ’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ପ୍ରଥମେ ଅଭିନୟ କରିଥିବା ହରିକୃଷ୍ଣ ୧୩ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର