ଠକ ସୁକେଶ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ଇଡିର ଜେରା

ନୂଆଦିଲ୍ଲୀ : ମହାଠକ ସୁକେଶ ଚନ୍ଦ୍ରଶେଖରର ମନିଲଣ୍ଡରିଂ ମାମଲାରେ ଅଭିନେତ୍ରୀ ନୋରା ଫତେହି ଜଡ଼ିତ ଥିବାର ନୂଆ ପ୍ରମାଣ ମିଳିବା ପରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଶୁକ୍ରବାର ନୋରାଙ୍କୁ ଜେରା କରିଛି। ତେବେ ନୋରା ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଇଡି ଶୁକ୍ରବାର ନୋରାଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲା। ଇଡିର ଅଭିଯୋଗ ଅନୁସାରେ ଠକ ସୁରେଶ ଅଭିନେତ୍ରୀ ନୋରା, ଜାକ୍ବେଲିନ ଫର୍ଣ୍ଣାଣ୍ଡିଜ ଓ ଆଉ ଜଣେ ଅଭିନେତ୍ରୀଙ୍କୁ ବିଳାସପୂର୍ଣ୍ଣ କାର୍ ସମେତ ଦାମୀ ଉପହାରମାନ ଦେଇଥିଲା।

ଇଡି ଏହି ମାମଲାରେ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦରେ ନୋରାଙ୍କ ବିବୃତି ମଧ୍ୟ ରହିଛି। ଏଥିରେ ନୋରା କୌଣସି ଭୁଲ କାମ କରିନାହାନ୍ତି ବୋଲି କହିଥିଲେ ଏବଂ କହିଥିଲେ ଯେ ସେ ଠକ ସୁକେଶଙ୍କ ସ୍ତ୍ରୀ ଲୀନା ମାରିଆ ପାଲଙ୍କ ନିମନ୍ତ୍ରଣକ୍ରମେ ଚେନ୍ନାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଏକ ନୂଆ ଆଇଫୋନ୍, ଗୋଟିଏ ଗୁଚି ବ୍ୟାଗ୍ ଓ ଏକ ବିଏମ୍‌ଡବ୍ଲୁ କାର୍ ଉପହାର ଦେବାକୁ କୁହାଯାଇଥିଲା ଓ ପରେ ତାହା ତାଙ୍କ ପାଖକୁ ପଠେଇ ଦିଆଯାଇଥିଲା। ପରେ କାର୍‌ଟିକୁ ତାଙ୍କ ସମ୍ପର୍କୀୟମାନେ ବିକ୍ରି କରିଦେଇଥିଲେ।

ନୋରା କହିଥିଲେ ଯେ ଏତିକି ଛଡ଼ା ସେ ଆଉ କିଛି ଠକଠାରୁ ନେଇନାହାନ୍ତି। କାର୍‌ଟି ମଧ୍ୟ ତାଙ୍କୁ ନୁହେଁ, ତାଙ୍କ ସମ୍ପର୍କୀୟ ଭଉଣୀର ସ୍ବାମୀ ବବିଙ୍କୁ ଦିଆଯାଇଥିଲା। ସେ କେବଳ ଫୋନ୍ ଓ ବ୍ୟାଗ୍ ପାଇଛନ୍ତି। ସୂଚନାଯୋଗ୍ୟ ଏହି ମାମଲାରେ ଠକ ସୁକେଶ ଓ ତା’ ସ୍ତ୍ରୀ ଏବେ ଜେଲରେ ଥିବା ବେଳେ ଫର୍ଣ୍ଣାଣ୍ଡିଜଙ୍କୁ ଜାମିନରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର