ରିପୋର୍ଟ ହେଉଥିବା ମୃତ୍ୟୁସଂଖ୍ୟାଠାରୁ ଦିଲ୍ଲୀରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଅଧିକ: ଉତ୍ତର ଦିଲ୍ଲୀର ମେୟର

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଉତ୍ତର ଦିଲ୍ଲୀର ମେୟର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିଲ୍ଲୀରେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ସରକାର ଦେଇଥିବା ମୃତ୍ୟୁସଂଖ୍ୟାଠାରୁ ଢ଼େର ଅଧିକ। ଆଜି ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ ବିବାଦୀୟ ବୟାନ ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛି ଦିନ ହେଲାଣି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ କେଜ୍ରିୱାଲ ସରକାର ପ୍ରକୃତ ତଥ୍ୟ ଲୁଚାଉଥିବା କହିଛନ୍ତି ଜୟ ପ୍ରକାଶ।

ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ୧୬ରେ ୧୪୧ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଉତ୍ତର ଦିଲ୍ଲୀର ମେୟର ଦାବି କରିଛନ୍ତି ଯେ, ଶୁକ୍ରବାର ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୯୩ ଥିଲା। ଶବଦାହ ଏବଂ ସମାଧି ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୧୯୩ ଥିଲା ‌ବୋଲି ଦାବି କରିଛନ୍ତି ମେୟର।

ମେୟର ଜୟ ପ୍ରକାଶଙ୍କ ଏଭଳି ଦାବି ପରେ ଏବେ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର