ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ ଦ୍ରୁତ ଟିକାକରଣ ହିଁ କୋଭିଡ୍ ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ଭାବେ କାମ ଦେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଗତ ଜାନୁଆରି ୧୬ ତାରିଖରୁ ସରକାର ଦେଶରେ ଆରମ୍ଭ କରିଥିବା ବିଶ୍ବର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ନାଗରିକଙ୍କୁ ସାମିଲ କରିବା ପାଇଁ ହିତାଧିକାରୀ ପ୍ରାଥମିକତାରେ ବର୍ଗ ବ୍ୟବସ୍ଥାକୁ ହଟାଇ ନେଇ ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି। ମାତ୍ର ଦେଶରେ ଦେଖାଦେଇଥିବା ଟିକା ଅଭାବ ଯୋଗୁଁ ଏବେ ସବୁ ବର୍ଗ ପାଇଁ ସମସ୍ୟା ଆସିଛି। ଟିକାର ଚାହିଦା ଓ ଯୋଗାଣରେ ଭୀଷଣ ତାରତମ୍ୟ ରହିଥିବାରୁ ଅନେକ ଟିକାଦାନ କେନ୍ଦ୍ରରେ ଟିକା ଏଯାଏ ପହଞ୍ଚିପାରିନାହିଁ। ବିଶେଷ କରି ଏହାଦ୍ବାରା ଗ୍ରାମା଼ଞ୍ଚଳ କେନ୍ଦ୍ରଗୁଡ଼ିକ ବେଶୀ ପ୍ରଭାବିତ ହୋଇଛନ୍ତି। ସେହିପରି ସହରାଞ୍ଚଳରେ ମଧ୍ୟ ବଡ଼ ବଡ଼ ଡାକ୍ତରଖାନାଗୁଡ଼ିକୁ ସହଜରେ ଟିକା ଉପଲବ୍ଧ ହୋଇପାରୁଥିବା ବେଳେ ଛୋଟ ଛୋଟ ଚିକିତ୍ସାକେନ୍ଦ୍ର ପାଇଁ ତାହା ଅପହଞ୍ଚ ହୋଇଛି। ପୂର୍ବରୁ ଦେଶର ସ୍ବାସ୍ଥ୍ୟସେବାକୁ ଭିତ୍ତି କରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଏକ ଅଭେଦ୍ୟ ପାଚେରି ରହି ଆସିଥିବା ବେଳେ ଏବେ ଏହି ଟିକା ସଙ୍କଟ ତାହାକୁ ବେଶୀ ସ୍ପଷ୍ଟ କରିଛି।
ତେବେ ଏହି ଟିକା ସମସ୍ୟା ମୁଖ୍ୟତଃ ଦୁଇଟି କାରଣ ଯୋଗୁଁ ଏପରି ଆସ୍ଥାନ ଜମାଇଛି। ପ୍ରଥମଟି ହେଲା, ଟିକା ନିର୍ମାତାଙ୍କ ଠାରୁ ସଂପୃକ୍ତ ଟିକାର ସଂଗ୍ରହ ଓ ପରିବହନ ପାଇଁ ଡାକ୍ତରଖାନାଗୁଡ଼ିକର ଦକ୍ଷତା । ଏଥି ସହିତ ସେ ବାବଦ ସେମାନେ ଖଟାଉଥିବା ଅର୍ଥର ଭରଣା। ଦ୍ବିତୀୟରେ ଏହି ନୂତନ ବର୍ଗର ଟିକାକରଣ ପାଇଁ କୋ-ଵିନ୍ ଆପ୍ରେ ପଞ୍ଜୀକରଣ ବାଧ୍ୟତାମୂଳକ ହେବା। ଦେଶର ଗ୍ରାମାଞ୍ଚଳ ବିଶେଷ କରି ଅପନ୍ତରା ଇଲାକାରେ ରହୁଥିବା ସାବାଳକଙ୍କ ପାଇଁ ଏପରି ପଞ୍ଜୀକରଣ କରିବା ଏକ କଷ୍ଟକର ବ୍ୟାପାର। ସେଥିପାଇଁ ଇଣ୍ଟରନେଟ୍ ସେବା ପରି ଭିତ୍ତିଭୂମି ଏବଂ ଇଂରାଜୀ ମାଧ୍ୟମରେ ଆବେଦନପତ୍ର ପୂରଣ କରିବା ଅନ୍ୟତମ କଠିନ କାର୍ଯ୍ୟ ହୋଇଛି। ସୁତରାଂ ଏଭଳି କ୍ଷେତ୍ରରେ ସହରାଞ୍ଚଳ ହିତାଧିକାରୀମାନେ ଅପେକ୍ଷାକୃତ ଆଗୁଆ ରହିଛନ୍ତି।
ଟିକା ଯୋଗାଣରେ ହ୍ରାସ ସାଙ୍ଗକୁ ଖୋଲାବଜାରରେ ଏହା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହୋଇଥିବା ବେଳେ ବାରମ୍ବାର ପ୍ରଚେଷ୍ଟା କରି ମଧ୍ୟ ଟିକା ପାଇଁ ଧାର୍ଯ୍ୟ ସମୟ(ଟାଇମ୍ସ୍ଲଟ୍) ମିଳୁନାହିଁ। ଏଥି ସହିତ ଯେଉଁମାନେ ସ୍ମାର୍ଟ ଫୋନ୍ କି କମ୍ପ୍ୟୁଟର ବ୍ୟବହାର କିମ୍ବା ସଂପୃକ୍ତ ଜ୍ଞାନକୌଶଳ ସହ କମ୍ ପରିଚିତ, ସେମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଟିକାଦାନ କେନ୍ଦ୍ରମାନଙ୍କରେ ଏପରି ଯୁବପିଢ଼ି ହାତାଧିକାରୀଙ୍କର ଭିଡ଼ କମାଇବା ପାଇଁ ସରକାର ଏପରି କୋ-ଵିନ୍ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଛୋଟ ସହରଗୁଡ଼ିକରେ ଥିବା ଟିକା କେନ୍ଦ୍ରକୁ ଗାଁ ଗହଳରୁ ଆସୁଥିବା ଲୋକେ ଟିକା ନପାଇ ନିରାଶରେ ଫେରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/virus-vaccine-reuters.jpg)