ରାୟପୁର: ରାୟପୁରଠାରେ ଅନୁଷ୍ଠିତ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନରେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଉଦ୍ବୋଧନ ଦେଇଛନ୍ତି।
ସଂସଦରେ ବିଜେପିର ନେତାମାନେ କାହିଁକି ଆଦାନିଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସଂସଦରେ ଆଦାନିଙ୍କୁ ମୁଁ ସମାଲୋଚନା କଲି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର କି ସଂପର୍କ ରହିଛି ବୋଲି ପଚାରିଲି। ସରକାର ଏବଂ ତାଙ୍କର ମନ୍ତ୍ରୀମାନେ ବ୍ୟବସାୟୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲେ। ଆଦାନି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏକ ବୋଲି ସେ କହିଛନ୍ତି।
ଦେଶପାଇଁ ସାହସ ଦେଖାଇବା ସମୟ ଆସିଛି: ପ୍ରିୟଙ୍କା
ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ ଆମେ ପ୍ରଶ୍ନ ପଚାରିବା ଜାରି ରଖିବୁ ବୋଲି ସେ କହିଛନ୍ତି। ଆଦାନି ଏବଂ ତାଙ୍କ କମ୍ପାନି ଦେଶର ସବୁ ଭିତ୍ତିଭୂମିକୁ ଛଡ଼ାଇ ନେଇ ଯାଉଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମ ଗୋଟିଏ କମ୍ପାନି ବିରୋଧରେ ହୋଇଥିଲା। କାରଣ ସେହି କମ୍ପାନି ଦେଶର ସବୁ ସଂପତ୍ତି ଏବଂ ବନ୍ଦର ଆଦି ନେଇଯାଉଥିଲା। ଏବେ ଇତିହାସର ପୁନରାବୃତ୍ତି ହେଉଛି। ଦେଶ ବିରୋଧୀ କାର୍ଯ୍ୟ ବିରୋଧୀରେ କଂଗ୍ରେସ ଦଳ ଲଢ଼ିବ ବୋଲି ସେ କହିଛନ୍ତି।
କର୍ମୀମାନଙ୍କ ଉପରେ ବିପୁଳ ଆସ୍ଥା ପ୍ରକଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଦଳର ବାର୍ତ୍ତା ଏବଂ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏବେ ନିର୍ବାଚନକୁ ଆଉ ବର୍ଷଟିଏ ରହିଛି। ଦଳ ପାଇଁ ଲଢ଼େଇ କରିବା ସମୟରେ କର୍ମୀମାନଙ୍କୁ ଯେଉଁ ସଂଘର୍ଷ କରିବାକୁ ପଡ଼ୁଛି ତାହାକୁ ପ୍ରିୟଙ୍କା ପ୍ରଶଂସା କରିଛନ୍ତି। ଆମେ ଜାଣୁ ଆପଣମାନଙ୍କ ଭିତରେ ବିଜେପି ବିରୋଧରେ ଲଢ଼ିବାର ସାହସ ଅଛି। ଦେଶ ପାଇଁ ସେହି ସାହସ ଦେଖାଇବାର ସମୟ ଏବେ ଆସିଛି ବୋଲି ସେ କହିଛନ୍ତି।