ରାଫେଲ ପ୍ରଭାବ? କାଲାସନିକୋଭ ରାଇଫଲ ପ୍ରକଳ୍ପ ପାଇଁ ଅଦାନୀକୁ ପାର୍ଟନର ନ କରିବାକୁ ଭାରତ ଋଷିଆକୁ କହିଲା

ନୂଆଦିଲ୍ଲୀ: ଫ୍ରାନ୍ସରୁ ରାଫେଲ ବିମାନ କ୍ରୟ ଚୁକ୍ତି ବେଳେ ରିଲାଏନ୍ସକୁ ଅଫସେଟ ପାର୍ଟନର ନିଯୁକ୍ତି ହେବା ଯୋଗୁଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହା ଦ୍ୱାରା ସରକାର ଅଡୁଆରେ ପଡିଯାଇଛନ୍ତି । ଆଗକୁ ଯେପରି ଏପରି କୌଣସି ନୂଆ ବିବାଦ ସୃଷ୍ଟି ନହୁଏ, ସେଥିଲାଗି ସରକାର ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି । ଭାରତ ଓ ଋଷିଆ ମଧ୍ୟରେ କାଲାସନିକୋବ ରାଇଫଲ ଉତ୍ପାଦନ ପାଇଁ ଏକ ଚୁକ୍ତି ହୋଇଛି । ତେବେ ଭାରତରେ ଏହି ପ୍ରକଳ୍ପ ପାଇଁ ଋଷିଆ ସରକାର ଅଦାନୀ ଡିଫେନ୍ସକୁ ପାର୍ଟନର କରିବାକୁ ପ୍ରସ୍ତାବ ଦିଆଯାଇଥିବାବେଳେ, ଭାରତ ସରକାର ଏହାକୁ ବିରୋଧ କରୁଛନ୍ତି । ଭାରତ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡକୁ ପାର୍ଟନର କରିବାକୁ ମସ୍କୋକୁ ପ୍ରସ୍ତାବ ଦେଇଛନ୍ତି ।

ଗତ ବର୍ଷ ଋଷିଆ ତରଫରୁ ଭାରତ ସରକାରଙ୍କୁ କାଲାସନିକୋଭ-୧୦୩ ରାଇଫଲ ଭାରତରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଭାରତୀୟ ସେନାର ଆବଶ୍ୟକତା ସହ ଏହି ରାଇଫଲ ମେଳ ଖାଉନଥିବାରୁ ସରକାର ଏ ନେଇ ବିଶେଷ ଆଗ୍ରହ ଦେଖାଇନଥିଲେ । କିନ୍ତୁ ଏ ବର୍ଷ ସେନା ୭.୬୨ କାଲିବର ଆସଲ୍ଟ ରାଇଫଲ ନିମନ୍ତେ ବରାଦ ଦେବାରୁ ଏହି ପ୍ରସ୍ତାବ ଆଗକୁ ବଢିଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡ ସହବନ୍ଧନରେ ଏହି କାରଖାନା ପ୍ରତିଷ୍ଠା କରାଯିବ । ଏହି କାରଖାନାରେ ବିଭିନ୍ନ କାଲିବରର ଏକେ ସିରିଜ୍‌ର ବିଭିନ୍ନ ରାଇଫଲ ନିର୍ମାଣ କରାଯିବ । କେବଳ ସେନା ନୁହେଁ ସିଆରପିଏଫ, ବିଏସଏଫ ପରି ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ କାଲାସନିକୋଭ ( ଏକେ୪୭, ଏକେ ୫୬, ଏକେ ୧୦୩ ଆଦି) ପ୍ରଦାନ କରାଯିବ । ଏହା ଦ୍ୱାରା ସୁରକ୍ଷା ବାହିନୀର ଶକ୍ତି ଓ ଆକ୍ରମଣ କ୍ଷମତା ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର