ନୂଆଦିଲ୍ଲୀ : ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗର ବିସ୍ଫୋରକ ରିପୋର୍ଟ ପରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଋଣକୁ ନେଇ ବେଶ ସଜାଗ ହୋଇପଡ଼ିଛି। କଂପାନି ଆଉ ନିଜର ଋଣ ବଢ଼ାଇବ ନାହିଁ। ଏହା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଏବେ ଋଣ ପରିଶୋଧ କରି ନିବେଶକମାନଙ୍କ ବିଶ୍ବାସ ଜିତିବାକୁ ଆଦାନି ଗ୍ରୁପ୍ ଚେଷ୍ଟା କରୁଛି।
କଂପାନି ୨୩,୫୦୦ କୋଟି ଟଙ୍କାର ଋଣ ପରିଶୋଧ କରିସାରିଛି। ଏହା ସତ୍ତ୍ବେ କଂପାନି ଖଶତାରେ ୧.୯୫ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ୨୦୨୩ ସୁଦ୍ଧା କଂପାନି ପାଖରେ ୩.୯୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିଲା। ନିବେଶକମାନଙ୍କ ବିଶ୍ବାସ ଜିତିବା ଲାଗି କଂପାନିନ ନିଜ ପାଖରେ ଥିବା ନଗଦ ରାଶିକୁ ବ୍ୟବହାର କରି ୩୦୦ କୋଟି ଟଙ୍କାର ବଣ୍ଡ୍କୁ ପୁନର୍ବାର କିଣିବା ଉପରେ ବିଚାର କରୁଛି।
୨୦୨୩ ଜାନୁଆରି ୨୪ରେ ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନିର ୭ଟି କଂପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା। ସେହି ଧାରା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାରୁ ଗୌତମ ଆଦାନି ବିପୁଳ କ୍ଷତି ସହିଥିଲେ। ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ବିଶ୍ବର ତୃତୀୟ ବଡ଼ ଧନୀ ଥିବା ଆଦାନି ଶେଷ୍ଠ ୨୦ ଧନୀ ତାଲିକାରୁ ବିଦା ହୋଇଯାଇଥିଲେ। ତାଙ୍କ ମୁଣ୍ଡରୁ ଭାରତ ଓ ଏସିଆର ସବୁଠୁ ବଡ଼ ଧନୀ ମୁକୁଟ ହଟିଯାଇଥିଲା। ତେବେ ଗତ କିଛି ଦିନ ହେଲାଣି ଆଦାନି ଗ୍ରୁପ୍ର ବିଭିନ୍ନ କଂପାନିର ସେୟାର ମୂଲ୍ୟରେ ସୁଧାର ହେଉଛି। ଇତି ମଧ୍ୟରେ ସେୟାର ମୂଲ୍ୟରେ ୪୭ ପ୍ରତିଶତ ସୁଧାର ହୋଇଗଲାଣି।