ସୁପ୍ରିମ୍ କୋର୍ଟରେ ପହଞ୍ଚିଲା ଆଦାନି ଏଣ୍ଟର୍ପ୍ରାଇଜେସ୍ ମାମଲା; ‘ହିଣ୍ଡେନ୍ବର୍ଗ ରିସର୍ଚ’ର ସଂସ୍ଥାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ
ନୂଆଦିଲ୍ଲୀ: ଆଜ ଏକ ଜନସ୍ବାର୍ଥ ମାମଲା ଜରିଆରେ ‘ଆଦାନି ଏଣ୍ଟର୍ପ୍ରାଇଜେସ୍’ ମାମଲା ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ହିଣ୍ଡେନ୍ବର୍ଗ ରିସର୍ଚ’ ବିରୋଧରେ ତଦନ୍ତ କରାଯାଉ ବୋଲି ଉକ୍ତ ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ‘ହିଣ୍ଡେନ୍ବର୍ଗ ରିସର୍ଚ’ ରିପୋର୍ଟ କାରଣରୁ ‘ଆଦାନି ଗ୍ରୁପ୍’ର ସେୟାର୍ ବୁଡ଼ିବାରେ ଲାଗିଛି।

ଏହି ‘ସର୍ଟ-ସେଲିଙ୍ଗ୍ ଫାର୍ମ’ ଏବଂ ତା’ର ସଂସ୍ଥାପକ ନାଥନ୍ ଆଣ୍ଡର୍ସନ୍ଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ଏହି ଜନସ୍ବାର୍ଥ ମାମଲା ଦାଏର କରିଥିବା ଆଡ୍ଭୋକେଟ୍ ଏମ୍. ଏଲ୍. ଶର୍ମା କହିଛନ୍ତି। ଆଣ୍ଡର୍ସନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ‘ଆଦାନି ଗ୍ରୁପ୍’ର କମ୍ପାନିଗୁଡ଼ିକରେ ନିବେଶ କରିଥିବା ଲୋକମାନଙ୍କୁ କ୍ଷତିପୂରଣ ମିଳୁ ବୋଲି ଶର୍ମା ଚାହିଁଛନ୍ତି।
‘ଆଦାନି ଏଣ୍ଟର୍ପ୍ରାଇଜେସ୍’ ମାମଲାରେ ସୁପ୍ରିମ୍ କୋର୍ଟରେ ଦାଏର କରାଯାଇଥିବା ଏହି ପିଟିସନ୍ରେ ଆଣ୍ଡର୍ସନ୍ଙ୍କୁ ‘ସର୍ଟ-ସେଲର୍’ କୁହାଯାଇଛି। ଆଦାନି ଗ୍ରୁପ୍ କମ୍ପାନିଗୁଡ଼ିକର ନିରୀହ ନିବେଶକଙ୍କୁ ଠକିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ପିଟିସନ୍ରେ ଅନୁରୋଧ କରାଯାଇଛି।