ନୂଆଦିଲ୍ଲୀ: ସୌର ଶକ୍ତି ପ୍ରକଳ୍ପ ହାତେଇବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ପ୍ରାୟ ୨୬୫ ନିୟୁତ ଡଲାର (ପ୍ରାୟ ୨୨୦୦ କୋଟି ଟଙ୍କା)ର ଲାଞ୍ଚ ପ୍ରଦାନ ମାମଲାରେ ଆଦାନୀ ଗ୍ରୁପ୍ର ଅଡ଼ୁଆ ବଢ଼ିବାରେ ଲାଗିଛି। ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କୁ ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ କମିସନ (ଏସ୍ଇସି) ସମନ କରିଛି। ଗୌତମ ଆଦାନୀଙ୍କୁ କରାଯାଇଥିବା ସମନ ତାଙ୍କ ଅହମଦାବାଦର ଶାନ୍ତିବନ ଫାର୍ମ ହାଉସ୍ ଠିକଣାରେ ପଠାଯାଇଥିବାବେଳେ ପୁତୁରା ସାଗର ଆଦାନୀଙ୍କୁ ଅହମଦାବାଦ ବୋଡାକଡେଭ ଠିକଣାରେ ପଠାଯାଇଛି। ୨୧ ଦିନ ଭିତରେ ଜବାବ ରଖିବା ପାଇଁ ସେମାନଙ୍କୁ କୁହାଯାଇଛି।
୨୧ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
ଉକ୍ତ ସମନକୁ ଗ୍ରହଣ କରିବା ଦିନକୁ ଛାଡ଼ି ୨୧ ଦିନ ମଧ୍ୟରେ ଏସଇସି ନିକଟରେ ଅଭିଯୋଗର ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ସଂଘୀୟ ନିୟମର ଧାରା ୧୨ ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତ ୨୧ ତାରିଖରେ ନ୍ୟୁୟର୍କ ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ କୋର୍ଟ ଜରିଆରେ ପଠାଯାଇଥିବା ସମନରେ କୁହାଯାଇଛି। ଯଦି ଆପଣ ଜବାବ ଦେବାରେ ବିଫଳ ହୁଅନ୍ତି, ତେବେ ଅଭିଯୋଗ ମୁତାବକ ଆପଣଙ୍କ ବିରୋଧରେ ରାୟ ଲେଖାଯିବ। ଏହାହେଲେ ଆପଣଙ୍କୁ କୋର୍ଟରେ ଜବାବ କିମ୍ବା ପ୍ରସ୍ତାବ ଦାଖଲ କରିବାକୁ ପଡ଼ିବ ବୋଲି ସମନରେ କୁହାଯାଇଛି। ନିକଟରେ ନ୍ୟୁୟର୍କ କୋର୍ଟରେ ଖୋଲାଯାଇଥିବା ଅଭିଯୋଗ ଅନୁସାରେ ୬୨ ବର୍ଷୀୟ ଗୌତମ ଆଦାନୀ, ତାଙ୍କ ପୁତୁରା ତଥା ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡ୍ର ନିର୍ଦ୍ଦେଶକ ସାଗର ଆଦାନୀଙ୍କ ସମେତ ମୋଟ ୮ ଜଣ ଭାରତରେ ସୌର ଶକ୍ତି ପ୍ରକଳ୍ପ ହାତେଇବା ପାଇଁ ପ୍ରାୟ ୨୬୫ ନିୟୁତ ଡଲାର ଲାଞ୍ଚ ୨୦୨୦ରୁ ୨୦୨୪ ମଧ୍ୟରେ ପ୍ରଦାନ କରିଥିଲେ।
ତେବେ ଏସବୁ ଅଭିଯୋଗକୁ ଆଦାନୀ ଗ୍ରୁପ୍ ଖଣ୍ଡନ କରିବା ସହିତ ସମସ୍ତ ପ୍ରକାର ଆଇନଗତ ଦିଗକୁ ଉନ୍ମୁକ୍ତ ରଖିଥିବା କହିଥିଲା। ଆମେରିକାର ନ୍ୟାୟ ବିଭାଗର ଅଭିଯୋଗ ବ୍ୟତୀତ ଆମେରିକାର ଏସ୍ଇସି ଆଦାନୀ ଦାଦା ପୁତୁରାଙ୍କ ସମେତ ଏଜର ପାୱାର ଗ୍ଲୋବାଲର ଅଧିକାରୀ ସାଇରିଲ କାବାନିଜ୍ଙ୍କ ନାମରେ ଲାଞ୍ଚ ପ୍ରଦାନ ମାମଲାରେ ସଂଶ୍ଳିଷ୍ଟ ନେଇ ଅଭିଯୋଗ କରିଛି।