ନୂଆଦିଲ୍ଲୀ : ଆଦାନି ଗ୍ରୁପ୍‌ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ କରିଥିବା ଅଭିଯୋଗର ସତ୍ୟତା ଜାଣିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିବା କମିଟିକୁ ଘଟଣା ବିଷୟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ ଅବଗତ କରିଛନ୍ତି। ଆଦାନି ଗ୍ରୁପ୍‌ର ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନି, ଘରୋଇ ଭାବେ ପରିଚାଳିତ ହେଉଥିବା ସଂସ୍ଥା, ବିଦେଶରେ ଥିବା କଂପାନି, ବୈଦେଶିକ ପୋର୍ଟଫୋଲିଓ ନିବେଶ ଆଦି ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ବୁଚ୍‌ କମିଟିକୁ ଅବଗତ କରିଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ କମିଟି ବ୍ୟତୀତ ସେବି ନିଜ ଆଡ଼ୁ ଏକ ଟିମ୍‌ ଗଠନ କରି ହିଣ୍ଡେନ୍‌ବର୍ଗ ଅଭିଯୋଗର ତଦନ୍ତ କରୁଛି। ସେବି ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ କମିଟିରେ ଦାଖଲ କରିବ। ସୁପ୍ରିମକୋର୍ଟ ଗଠନ କରିଥିବା କମିଟିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ ଏମ୍ ସାପ୍ରେ, ପୂର୍ବତନ ବ୍ୟାଙ୍କ ମୁଖ୍ୟ କେ ଭି କାମାଥ ଓ ଓ ପି ଭଟ୍ଟ, ଇନ୍‌ଫୋସିସ୍‌ ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ଆଇନଜୀବୀ ଏସ୍‌ ସୁନ୍ଦରସନ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ‌ଦେବଧର ରହିଛନ୍ତି।

ସର୍ଟ ସେଲିଂକୁ ନିୟନ୍ତ୍ରଣ କରିବା ଏବଂ ଷ୍ଟକ ବଜାର କାରବାର ପରିଚାଳନା ଲାଗି ସେବିର ରହିଥିବା ଅନ୍ୟ ନିୟମଗୁଡ଼ିକ ବିଷୟରେ ମଧ୍ୟ ସେବି ମୁଖ୍ୟ କମିଟିକୁ ଅବଗତ କରିଚନ୍ତି। ନିବେଶକମାନଙ୍କ ସୁରକ୍ଷା ଲାଗି ରହିଥିବା ନିୟମକୁ ଆହୁରି କିଭଳି ଦୃଢ଼ କରାଯାଇପାରିବ ତାହା ମଧ୍ୟ ସେ ଜଣାଇଛନ୍ତି। ବିଦେଶରେ ଥିବା ତିନିଟି ସଂସ୍ଥା ସହ ଶିଳ୍ପପତି ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନିଙ୍କ ରହିଥିବା ସମ୍ପର୍କ ବିଷୟରେ ମଧ୍ୟ ସେବି ନିଜ ଆଡ଼ୁ ତଦନ୍ତ କରୁଛି। ଦେଶରେ ପ୍ରଚଳିତ ନିୟମ ଅନୁସାରେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ୨୫% ଅଂଶଧନ ଅଣ ପ୍ରମୋଟରମାନଙ୍କ ପାଖରେ ରହିବା ଦରକାର। ମାତ୍ର ଆଦାନି ଗ୍ରୁପ୍ କ୍ଷେତ୍ରରେ ଏକ ହାତଗଣତି ବିଦେଶ କଂପାନି ପାଖରେ ସେହି ଅଣ ପ୍ରମୋଟର ଅଂଶଧନର ଅଧିକାଂଶ ଭାଗ ରହିଛି।