ମୁକେଶଙ୍କୁ ଶୀର୍ଷ ସ୍ଥାନରୁ ହଟାଇଲେ ଆଦାନି ଏସିଆର ଏକ ନମ୍ବର

ନୂଆଦିଲ୍ଲୀ ଦ୍ରୁତ ଗତିରେ ନିଜ ସମ୍ପତ୍ତି ବଢ଼ାଇବାରେ ସଫଳ ହୋଇଥିବା ୫୯ ବର୍ଷୀୟ ବ୍ୟବସାୟୀ ଗୌତମ ଆଦାନି ଏସିଆର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି। ଦୀର୍ଘ ୧୪ ବର୍ଷ ଧରି ଏହି ସ୍ଥାନରେ ରାଜୁତି କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସେ ପଦଚ୍ୟୁତ କରିଛନ୍ତି। ଆଦାନିଙ୍କ ସମ୍ପତ୍ତି ୮୮୫୦ କୋଟି ଡଲାରକୁ ବୃଦ୍ଧି ପାଇଥିବା ବେଳେ ମୁକେଶଙ୍କ ସମ୍ପତ୍ତି ୮୭୯୦ କୋଟି ଡଲାର ରହିଛି। ଚଳିତ ବର୍ଷ ଆଦାନି ନିଜ ସମ୍ପତ୍ତିରେ ୧୨୦୦ କୋଟି ଡଲାର ବୃଦ୍ଧି କରିଛନ୍ତି। ବିଶ୍ବର ଅନ୍ୟ କୌଣସି ଧନୀଙ୍କ ସମ୍ପତ୍ତି ଏଭଳି ହାରରେ ବୃଦ୍ଧି ପାଇନାହିଁ। ଏକ ଛୋଟ ଟ୍ରେଡିଂ କଂପାନିରୁ ନିଜର ଯାତ୍ରା ଆରମ୍ଭ କରିଥିବା ଆଦାନି ନିଜ ବ୍ୟବସାୟକୁ ବନ୍ଦର, ବିମାନବନ୍ଦର, ଖଣି ଏବଂ ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ବିସ୍ତାର କରିଛନ୍ତି। ଗତ ଦୁଇ ବର୍ଷରେ ଆଦାନିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବଢ଼ିଛି। ତାଙ୍କ ଗ୍ରୁପ୍‌ ଅଧୀନରେ ଥିବା କିଛି କଂପାନିର ସେୟାର ମୂଲ୍ୟରେ ୬୦୦% ଭଳି ବୃଦ୍ଧି ହୋଇଥିବାରୁ ଆଦାନିଙ୍କ ସମ୍ପତ୍ତି ବଢ଼ିଛି।

ସମ୍ବନ୍ଧିତ ଖବର