ମୁମ୍ବାଇ : ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ସାମ୍ରାଜ୍ୟ ଭୁଶୁଡ଼ିବାକୁ ବସିଲାଣି। ଗତ କିଛି ଦିନ ଦିନରେ ଏହାର ତାଲିକାଭୁକ୍ତ କଂପାନିଗୁଡ଼ିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସପାଉଛି। ଫଳରେ ଆଦାନି ଗ୍ରୁପ୍ ୮ ଲକ୍ଷ କୋଟି ଟଙ୍କା ହରାଇଲାଣି। ଋଣ ବୋଝ ହାଲୁକା କରିବା ଏବଂ ଅଂଶଧନକାରୀଙ୍କ ସଂଖ୍ୟା ବଢ଼ାଇବା ଲାଗି ଷ୍ଟକ ବଜାରରୁ ୨୦ ହଜାର କୋଟି ଟଙ୍କା ଉଠାଇବା ପାଇଁ ଆଦାନି ଗ୍ରୁପ୍ ଫଲୋ ଅନ୍ ପବ୍ଲିକ୍ ଅଫର ଘୋଷଣା କରିଥିଲା। ଗତକାଲି ରାତିରେ ହଠାତ୍ ତାହାକୁ ବାତିଲ କରିଛି ଓ ନିବେଶକମାନଙ୍କୁ ଟଙ୍କା ଫେରାଇ ଦେବ ବୋଲି କଂପାନି ମୁଖ୍ୟ ଘୋଷଣା କରିଛନ୍ତି।
ଗ୍ରୁପ୍ର ମୂଳଦୁଆ ବେଶ ଦୃଢ଼ ବୋଲି କଂପାନିର ମୁଖ୍ୟ ଗୌତମ ଆଦାନି ଭରସା ଦେବା ସତ୍ତ୍ବେ ନିବେଶକମାନେ ସେୟାର ବିକ୍ରି ବନ୍ଦ କରୁନାହାନ୍ତି। କଂପାନିର ସେୟାର ମୂଲ୍ୟ କମିବା ଯୋଗୁ ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ମଧ୍ୟ ହ୍ରାସ ଘଟିଛି। ସେ ବିଶ୍ବର ଶୀର୍ଷ ୧୦ ଧନୀ ତାଲିକାରୁ ବିଦା ହୋଇ ୧୫ତମ ସ୍ଥାନରେ ପହଂଚିଛନ୍ତି। ଏସିଆ ଓ ଭାରତର ସବୁଠୁ ଧନୀ ମୁକୁଟ ମଧ୍ୟ ସେ ହରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ପୁଣି ଥରେ ଭାରତର ଏକ ନମ୍ବର ଧନୀ ହୋଇଛନ୍ତି।
ଆଦାନି କଂପାନିକୁ ନେଇ ଦେଶର ଦୁଇ ପ୍ରମୁଖ ଆର୍ଥିକ ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସଜାଗ ହୋଇପଡ଼ିଛନ୍ତି। ଆଦାନି ଗ୍ରୁପ୍ର କଂପାନିଗୁଡ଼ିକ ଉପରେ ସେବି ତୀକ୍ଷ୍ଣ ନଜର ରଖିଛି। ଅନ୍ୟ କ୍ଷରେ ବ୍ୟାଙ୍କଗୁଡ଼ିକ ଆଦାନିର ବିଭିନ୍ନ କଂପାନିକୁ କେତେ ଋଣ ଦେଇଛନ୍ତି ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କଠାରୁ ତଥ୍ୟ ମାଗିଛି। ବାଂଲାଦେଶରେ ମଧ୍ୟ ଆଦାନିର ଅଡ଼ୁଆ ବଢ଼ିଛି। ୨୦୧୭ରେ ଏହାର ଝାଡ଼ଖଣ୍ଡରେ ଥିବା ପାୱାର ପ୍ଲାଣ୍ଟ୍ ପକ୍ଷରୁ ବାଂଲାଦେଶ ବିଦ୍ୟୁତ ବିକାଶ ବୋର୍ଡ ସହ ବିଦ୍ୟୁତ କିଣାକୁ ନେଇ ଯେଉଁ ଚୁକ୍ତି ସ୍ବାକ୍ଷର କରାଯାଇଥିଲା ସେଥିରେ ସଂଶୋଧନ କରିବାକୁ ବାଂଲାଦେଶ ଚାହୁଛି। କୋଇଲା ଦାମ୍କୁ ବଢ଼ାଇଚଢ଼ାଇ ଉଲ୍ଲେଖ କରାଯାଇଥିବା ବାଂଲାଦେଶ ଅଭିଯୋଗ କରିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ) ପକ୍ଷରୁ ଆଦାନି ଗ୍ରୁପ୍ର ତିନିଟି କଂପାନିର ସେୟାର ମୂଲ୍ୟ ଉପରେ ନିରୀକ୍ଷଣକୁ ଆଜି ବଢ଼ାଇ ଦିଆଯାଇଛି।
ଆଦାନି ଗ୍ରୁପ୍ ବିରୋଧରେ ଜାଲିଆତି ଅଭିଯୋଗ ଆସିିବା ପରେ ତାହାର ପ୍ରଭାବ ବ୍ରିଟେନ୍ରେ ମଧ୍ୟ ଦେଖିବାକୁ ମିଳିଛି। ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଭାଇ ଜୋ’ ଜନ୍ସନ୍ ଯେଉଁ କଂପାନିରେ କାମ କରୁଥିଲେ ସେଥିରୁ ଇସ୍ତଫା ଦେଇଛନ୍ତି। ଏଲାରା କ୍ୟାପିଟାଲ୍ ନାମକ ସେହି ସଂସ୍ଥାର ଆଦାନି ଗ୍ରୁପ୍ ସହ ସମ୍ପର୍କ ରହିଛି। କଂପାନି ଯେଉଁ ପବ୍ଲିକ୍ ଅଫର ବାତିଲ କରିଛି ସେଥିରେ ଏଲାରା କ୍ୟାପିଟାଲ୍ ନିବେଶ କରିଥିଲା। ତେବେ କେଉଁ କାରଣ ପାଇଁ ଜୋ’ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି।